ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କରୋନା ମହାମାରୀ ଯୋଗୁଁ ଓଡିଶା ର ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ବେଳେ ଦୀର୍ଘଦିନ ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ତାଙ୍କ ପତ୍ର ସଂଖ୍ୟା ୭୪୦/PSSME ତା ୨୮.୧୨.୨୦୨୧ ଅନୁଯାୟୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବଳରେ ଆସନ୍ତା ଜାନୁଆରୀ ମାସ ୩ ତାରିଖ ଠାରୁ ପ୍ରାଥମିକ ବିଦ୍ୟାଳୟ ସବୁ କୁ ଖୋଲିବା ପାଇଁ ଘୋଷଣା କରାଯାଇଛି ।
ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ କରୋନା ସଂକ୍ରମଣ ଭୟରେ ଦୀର୍ଘ ୨୧ ମାସ ଧରି ବନ୍ଦ ରହିଥିବା ସ୍କୁଲ ଗୁଡ଼ିକ ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ।ରାଜ୍ୟର ୨୭ ହଜାର ସ୍କୁଲ ରେ ପ୍ରଥମ ରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢା ଆରମ୍ଭ ହେବ।ସକାଳ ୯ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବିଦ୍ୟାଳୟ କୁ ଯାଇ ପାଠ ପଢ଼ିବେ ଛାତ୍ର ଛାତ୍ରୀ।ତେବେ, ବିଦ୍ୟାଳୟରେ କୋଭିଡ ଗାଇଡ ଲାଇନ କୁ କଡାକଡି ଭାବେ ପାଳନ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଛାତ୍ର ଛାତ୍ରୀ ମାନେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ କରୋନା ନିୟମ କୁ ପାଳନ କରାଯିବାସହ ମାର୍ଗଦର୍ଶିକା ଅନୁସାରେ ସ୍କୁଲରେ ପାଠ ପଢା ଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟ ଆଦେଶ ନ ହେବା ପର୍ଯ୍ୟନ୍ତ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ରାସନ ଯୋଗାଇ ଦିଆଯିବ।ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଆରମ୍ଭ ହେବା ନିଷ୍ପତ୍ତି ପରେ ମାର୍ଗଦର୍ଶିକା ଜାରି କରାଯାଇଛି।ସ୍କୁଲ ଖୋଲିବା ପରେ ମଧ୍ୟ ଅନ ଲାଇନ କ୍ଲାସ୍ ଜାରି ରହିବ।ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେ ନାହିଁ ,ସେମାନେ ଅନ୍ ଲାଇନ୍ ମାଧ୍ୟମରେ ପାଠପଢ଼ା ଜାରି ରଖି ପାରିବେ।ସ୍କୁଲ ପରିସରରେ ଥିବା ସମସ୍ତ ଉପକରଣ ଓ ବିଭିନ୍ନ ସ୍ଥାନର ସ୍ୱଚ୍ଛତା ଉପରେ ଗୁରୁତ୍ବ ଦିଆଯିବ।ସ୍କୁଲରେ ହାତ ଧୋଇବା ବ୍ୟବସ୍ଥାକୁ ବାଧ୍ୟାତା ମୂଳକ କରାଯାଇଥିବାବେଳେ ସ୍କୁଲର ପରିବହନ ବ୍ୟବସ୍ଥା କୁ ଉପଯୁକ୍ତ ଭାବେ ସାନିଟାଇଜ କରାଯିବ।ସ୍କୁଲ ଭିତରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତା ମୂଳକ କରାଯାଇଛି।୬ ଫୁଟ ବ୍ୟବଧାନରେ ବସିବାକୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାସହ ଗୋଟିଏ ଶ୍ରେଣୀ ରେ ୨୦ ରୁ ୨୫ ଜଣ ପିଲା ଙ୍କୁ ବସିବା ସକାଶେ ଅନୁମତି ଦିଆଯାଇଛି।
ସ୍କୁଲ ପରିସର ଓ ସ୍କୁଲ ପ୍ରବେଶ ପଥ ଠାରୁ ୧୦୦ ମିଟର ଦୂରତା ଭିତରେ କୌଣସି ବାହାର ବ୍ୟବସାୟୀଙ୍କୁ ଖାଦ୍ୟ ବିକିବାକୁ ଅନୁମତି ଦିଆଯିବ ନାହିଁ।ପ୍ରତ୍ୟେକ ବିଦ୍ୟାଳୟରେ କୋଭିଡ ମନିଟରିଂ କମିଟି ବିଦ୍ୟାଳୟ ଭିତରେ କିଭଳି ସ୍ୱାସ୍ଥ୍ୟକର ପରିବେଶ ରହିବ ତାର ତଦାରଖ କରିବେ।ସ୍କୁଲ ଛାତ୍ର ଛାତ୍ରୀ ମାନେ ପରସ୍ପର ଭିତରେ ଟିଫିନ୍ ବାକ୍ସ ,ପେନ୍,ପେନ୍ସିଲ୍,ପାଣି ବୋତଲ ଆଦାନପ୍ରଦାନ କରିପାରିବେ ନାହିଁ।କୌଣସି ଛାତ୍ର ଛାତ୍ରୀ କିମ୍ବା କର୍ମଚାରୀଙ୍କ କୋଭିଡ ଲକ୍ଷଣ ଦେଖାଦେବା ସାଙ୍ଗେ ସାଙ୍ଗେ ସେମାନଙ୍କୁ ସ୍କୁଲ ପରିସରରୁ ଅଲଗା କରାଯାଇ ସ୍କୁଲ ପରିଚାଳନା କମିଟି ଏନେଇ ଅଭିଭାବକ ଙ୍କୁ ସୂଚନା ପ୍ରଦାନ କରିବେ ବୋଲି ଗାଇଡ ଲାଇନ ରେ ଦର୍ଶାଯାଇଛି।ସୂଚନାଯୋଗ୍ୟଯେ ଦୀର୍ଘ ୨୧ ମାସ ଧରି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଘରେ ରହି ଅନ ଲାଇନ ମାଧ୍ୟମରେ ପାଠ ପଢୁଥିଲେ,ହେଲେ,ସମସ୍ତଙ୍କ ନିକଟରେ ସ୍ମାର୍ଟ୍ ଫୋନ୍ ନ ଥିବା କିମ୍ବା ସ୍ମାର୍ଟ୍ ଫୋନ୍ ଥିଲେ ବି ସୁବିଧାରେ ନେଟ୍ ନ ମିଳିବା ସକାଶେ ଅନ ଲାଇନ ପାଠ ପଢ଼ା ସେତେଟା ପ୍ରଭାବଶାଳୀ ହୋଇପାରି ନ ଥିଲା।ପିଲାଙ୍କ ପାଠପଢା କୁ ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇବାରୁ ସରକାର ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି।ଆସନ୍ତା
ଜାନୁଆରୀ ୩ ତାରିଖ ରେ ପ୍ରାଥମିକ ବିଦ୍ୟାଳୟ ସବୁ ଖୋଲିବା ପରେ ରାଜ୍ୟର ୨୭ ହଜାର ସ୍କୁଲ ଚଳ ଚଞ୍ଚଳ ହେବାସହ ସିଧାସଳଖ ସ୍କୁଲରେ ବସି ପିଲା ମାନେ ପାଠ ପଢ଼ିବାର ସୁଯୋଗ ପାଇପାରିବେ।ତେବେ,କରୋନା ମହାମାରୀ ର ନୂଆଁ ପ୍ରଜାତି ଓମିକ୍ରନ କୁ ନେଇ ଥିବା ଭୟ ମଧ୍ୟରେ ସ୍କୁଲ ଖୋଲିବା ନିଷ୍ପତ୍ତି କୁ ନେଇ ଅଭିଭାବକ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।ଅନ୍ୟପକ୍ଷରେ , ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ ବୋଲି DMET ରମା ରମଣ ମହାନ୍ତି ସୂଚନା ଦେଇଛନ୍ତି।