ଭୁବନେଶ୍ବର :୨୦୧୯ ସାଧାରଣ ନିର୍ବାଚନରେ ରାଜନୈତିକ ହିଂସା ଦିନକୁ ଦିନ ତୀବ୍ରତର ହେଉଛି। ଫଳସ୍ୱରୂପ ଗୁଳିକାଣ୍ଡରେ ଜଣେ ସକ୍ରିୟ ରାଜନୀତିକ କର୍ମୀଙ୍କର ପ୍ରାଣ ଯାଇଛି। ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କ ସହଯୋଗୀ (ଖୋର୍ଦ୍ଧା ଜିଲ୍ଲା ବିଜେପି ମଣ୍ଡଳ ସଭାପତି) ମଙ୍ଗୁଳି ଜେନାଙ୍କୁ ଦୁର୍ବୃତ୍ତ ମାନେ ଗୁଳି କରି ହତ୍ୟା କରିଛନ୍ତି।ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଖୋର୍ଦ୍ଧା । ଖାଲି ଖୋର୍ଦ୍ଧା କାହିଁକି ସାରା ରାଜ୍ୟରେ ଏବେ ଏହାକୁ ନେଇ ଆକ୍ସନ-ରିଆକ୍ସନ । ମଙ୍ଗୁଳିଙ୍କୁ କିଏ ହତ୍ୟା କଲା, କାହିଁକି କଲା, ଏଥିରେ ରାଜନୈତିକ ହାତ ରହିଛି ନା ଏହା ବ୍ୟକ୍ତିଗତ ଶତ୍ରୁତା, ତାହାର ଖୋଳତାଡ଼ ଆରମ୍ଭ ହୋଇଛି ।
ଗତକାଲି କାଳୁ ଖଣ୍ଡାୟତରାୟ ଓ ମଙ୍ଗୁଳି ଜେନା ଏକାଠି ନିର୍ବାଚନ ପ୍ରଚାର ସାରି ରାତି ପ୍ରାୟ ୧୧ଟା ୧୫ ସମୟରେ ନିଜ ଗାଡିରେ ଘରକୁ ଫେରିବା ପାଇଁ ବାହାରୁଥିଲେ। ଠିକ୍ ସେତିକିବେଳେ ହଠାତ୍ ଜଣେ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡ଼ିରେ ଆସି ମଙ୍ଗୁଳିଙ୍କ ଉପରକୁ ଦୁଇ ରାଉଣ୍ଡ୍ ଗୁଳି ଚଳାଇଥିଲା। ଫଳରେ ଘଟଣା ସ୍ଥଳରେ ମଙ୍ଗୁଳିଙ୍କର ମୃତ୍ୟୁ ଘଟିଥିଲା।