ଭୁବନେଶ୍ବର:ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ରାଜନୈତିକ ଦଳଗୁଡ଼ିକୁ ଚଳିତ ନିର୍ବାଚନ ଲାଗି ପ୍ରଣୀତ ନୂଆ ନିୟମ ବିଷୟରେ ଅବଗତ କରାଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏଥିହିତ ନିର୍ବାଚନରେ ଦଳଗୁଡ଼ିକର ଭୂମିକା କିଭଳି ରହିବ ତାହା ମଧ୍ୟ ଅବଗତ କରାଇଥିଲେ।ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି କି, ଚଳିତ ନିର୍ବାଚନ ପାଇଁ ଅନେକ ନୂଆ ନିୟମ ଆସିଛି । ବର୍ଷେ ପରିବର୍ତ୍ତେ ପ୍ରାର୍ଥୀଙ୍କୁ ୫ ବର୍ଷର ଆୟକର ରିଟର୍ଣ୍ଣ ଦେବାକୁ ପଡିବ । ସେହିପରି ପାନ୍ ନମ୍ବର ଦେବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ପାନ ନମ୍ବର ନ ଥିଲେ ପାନ ଆବେଦନ କରିଥିବାର ସତ୍ୟପାଠ ଦେବାକୁ ପଡିବ ।ଶିକ୍ଷାଗତ ଯୋଗ୍ୟତା, ପତ୍ନୀ ଓ ପରିବାର ସଦସ୍ୟ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ପଷ୍ଟ ତାଲିକା ସହ ବିଦେଶୀ ପୁଞ୍ଜି ନିବେଶ ଏବଂ ଅପରାଧ ରେକର୍ଡ ସମ୍ପର୍କରେ ଫର୍ମ-୨୬ରେ ସତ୍ୟପାଠକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ଗୋଟିଏ ତଥ୍ୟରେ ତ୍ରୁଟି ଥିଲେ ପ୍ରାର୍ଥୀପତ୍ର ନାକଚ୍ ହୋଇଯିବ।
ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜ ୱେବସାଇଟ୍ରେ ପ୍ରାର୍ଥୀଙ୍କ ଅପରାଧ ମାମଲା ସଂପର୍କରେ ଉଲ୍ଳେଖ କରିବା ସହ ଗଣମାଧ୍ୟମରେ ସୂଚନା ଦେବେ। ଏଥିସହ ପ୍ରାର୍ଥୀମାନଙ୍କୁ ନାମାଙ୍କନ ବେଳେ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟ ସମ୍ପର୍କିତ ସମସ୍ତ ତଥ୍ୟ ବି ଦେବାକୁ ହେବ। ସୋଶାଲ୍ ମିଡିଆରେ କୌଣସି ପ୍ରକାର ରାଜନୈତିକ ବିଜ୍ଞାପନ ପାଇଁ କମିଶନଙ୍କ ଆଗୁଆ ଅନୁମତି ନେବାକୁ ପଡିବ। ନିର୍ବାଚନୀ ଖର୍ଚ୍ଚ ସୀମା ଉପରେ ବି କଟକଣା ଜାରି କରିଛନ୍ତି ସିଇସି। ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୭୦ ଲକ୍ଷ କରାଯାଇଥିବା ବେଳେ ବିଧାୟକ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।