ଭୁବନେଶ୍ୱର : ଲୋକସଭା ନିର୍ବାଚନରେ ୭ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନବୀନଙ୍କ ଘୋଷଣା ପରେ ଆଜି ନବୀନ ନିବାସରେ ଲାଗିଛି ମହିଳା ସାଂସଦ ଓ ଆଶାୟୀଙ୍କ ଭିଡ଼। ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ରୀତା ତରାଇ, ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ବିଧାୟିକା ରାଜଶ୍ରୀ ମଲ୍ଲିକ ପ୍ରମୁଖ ପହଞ୍ଚିଥିଲେ ନବୀନ ନିବାସରେ। ସେପଟେ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ବିଜେଡି ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ କାମ ଚାଲିଛି ଏବଂ ଖୁବ ଶିଘ୍ର ନାଁ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ଦଳ କଠିନ ପରିଶ୍ରମ କରୁଛି ଏବଂ ଆଗାମୀ ନିର୍ବାଚନରେ ପୁଣି ଥରେ ବିଜେଡି ସଫଳତା ହାସଲ କରିବ ବୋଲି ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ।ରାଜ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ଭୋଟର୍ ଥିବାରୁ ମହିଳାମାନେ ଏଥର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ। ତେଣୁ ମହିଳା ଭୋଟ୍ ବ୍ୟାଙ୍କ୍ ଉପରେ ସବୁ ଦଳର ନଜର ରହିଛି। ବିଜେଡି ପୂର୍ବରୁ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଥିବା ବେଳେ ବିଜେପି ଉଜ୍ଜ୍ୱଳା ଯୋଜନା ଏବଂ କଂଗ୍ରେସ୍ କ୍ଷମତାକୁ ଆସିଲେ ମ୍ୟାରେଜ୍ କିଟ୍ ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇ ମହିଳା ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି।ସୂତ୍ର ଅନୁସାରେ ସୁନ୍ଦରଗଡ଼ ପାଇଁ ସୁନୀତା ବିଶ୍ୱାଳ, ଯାଜପୁରରେ ପ୍ରମିଳା ମଲ୍ଲିକ କିମ୍ବା ରୀତା ତରାଇ, ଜଗତସିଂହପୁରରେ ରାଜଶ୍ରୀ ମଲ୍ଲିକ, ବ୍ରହ୍ମପୁରରେ କଲ୍ୟାଣୀ ଗଜପତି ଏବଂ କନ୍ଧମାଳ ପାଇଁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ପ୍ରମୁଖ ଦାବିଦାର ଅଛନ୍ତି।