ଭୁବନେଶ୍ବର : ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୧୬ଟି ମାମଲା ଦାୟର କରାଯାଇଛି। ସେଥିରୁ ୧୪ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ହୋମ୍ କ୍ୱାରାଣ୍ଟାଇନ୍ ଉଲ୍ଲଙ୍ଘନ ଏବଂ ୧ଟି ଅନ୍ୟାନ୍ୟ କାରଣ ପାଇଁ ଅଟେ। ବିଭିନ୍ନ ଅଭିଯୋଗରେ ୬୪ ଜଣଙ୍କୁ ଗିରଫ କରାଯାଇଛି।ଆଗକୁ ଗଣପର୍ବ ରଜ ଥିବାରୁ ନୂଆ ପୋଷାକ କିଣିବାକୁ ବଜାରରେ ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ଲୋକମାନେ କରୋନା ପାଇଁ ଜାରି ସାମାଜିକ ଦୂରତ୍ୱ ନିୟମ ମାନୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ପ୍ରଶାସନ ପକ୍ଷରୁ ଗହଳି ହେଉଥିବା ବିଭିନ୍ନ ସୋରୁମ ଓ ଦୋକାନରେ ଚଢଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ଆଜି ବିଏମସି ଓ ବିଡିଏର ମିଳିତ ସ୍କ୍ଵାର୍ଡ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସୋରୁମ ଓ ଦୋକାନରେ ଚଢଉ କରି ସିଲ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ସ୍କ୍ଵାର୍ଡ ପକ୍ଷରୁ ମୋଟ ୨୦ଟି ଦୋକାନ ଓ ସୋରୁମକୁ ସିଲ କରାଯାଇଛି । ଏସବୁ ସୋରୁମ ମଧ୍ୟରେ ରହିଛି ରାଜମହଲ ନିକଟରେ ଥିବା ମା’ ତାରିଣୀ ବସ୍ତ୍ରାଳୟ, ସହିଦ ନଗରରେ ଥିବା ଲିଙ୍ଗରାଜ ଲସି । ଏହା ସହିତ ବିଶାଲ ମେଗାମାର୍ଟ, ଭାଇ ଭାଇ ଟିଫିନ ଷ୍ଟଲ ଓ କେତେକ ଓମଫେଡ ଷ୍ଟଲକୁ ମଧ୍ୟ ସିଲ କରାଯାଇଛି ।ଭୁବନେଶ୍ବର ସ୍ଥିତ ଜନପଥରେ ଥିବା ଅମ୍ବର ସୋ’ରୁମ୍ ସିଲ୍ କରାଯାଇଛି । କରୋନା ଯୋଗୁଁ ଜାରି କରାଯାଇଥିବା ସାମାଜିକ ଦୂରତା ନିୟମ ଉଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ସୋ’ରୁମ୍ କୁ ସିଲ୍ କରିଦେଇଛନ୍ତି । ବୁଧବାର କଟକ ଦୋଳମୁଣ୍ଡାଇ ସ୍ଥିତ ଅମ୍ବର ଏନଏକ୍ସ ସୋ’ରୁମ୍ ମଧ୍ୟ ସିଲ୍ କରାଯାଇଥିଲା । ସିଏମସି ଏହି ସୋ’ରୁମକୁ ସିଲ୍ କରିଥିଲା । କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଥିବା ସିଏମସି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।