ଭୁବନେଶ୍ୱର: ଅନ୍ଲାଇନ୍ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ ଭିତରେ ବିଭିନ୍ନ ଜାଗାରେ ଛକାପଞ୍ଝା ଲାଗି ରହିଛି। ଗୋଟିଏ ପଟେ ଏପରି ସ୍ଥିତି ଥିବାବେଳେ ଅନ୍ୟ ପକ୍ଷେ ମଦ ଉପରେ ୫୦% କୋଭିଡ୍ ଟିକସକୁ ନେଇ ଗ୍ରାହକଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓଡ଼ିଶା ରାଜ୍ୟ ପାନୀୟ ନିଗମ କୋଭିଡ କର ମିଶାଇ ଗ୍ରାହକଙ୍କ ପାଇଁ ଯେଉଁ ଦର ଧାର୍ଯ୍ୟ କରିଛି, ସେ ଦର ଅନୁସାରେ ଗ୍ରାହକ ମଦ କିଣିବାକୁ ପାଉନାହାନ୍ତି। ଢେର୍ ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଏ ଚଢ଼ା ମୂଲ୍ୟ କାହା ପକେଟକୁ ଯାଉଛି? ମଦ ଦୋକାନୀ ନେଉଛନ୍ତି ନା ସରକାର? କିଏ ଏଭଳି ଦ୍ବନ୍ଦ୍ବ ସୃଷ୍ଟି କଲା? ଏଭଳି ପ୍ରଶ୍ନ ଏବେ ଗ୍ରାହକଙ୍କ ମନରେ ଉଙ୍କି ମାରୁଛି।
ଏଭଳି ଏକ ପ୍ରସଙ୍ଗ ଉପରେ ଏଯାଏଁ ଅବକାରୀ ବିଭାଗ ତନାଘନା କରିନାହିଁ। ନା ଅବକାରୀ କମିସନର ଏହା ଉପରେ ଠୋସ୍ ଭାବେ କିଛି କହିଲେଣି ନା ନିଗମ। ଅନ୍ୟପଟରେ ଆଜି ‘ସମ୍ବାଦ’ ଏ ସଂପର୍କରେ ଅବକାରୀ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଛନ୍ତି, ଓଏସ୍ବିସିରେ ପ୍ରକାଶ ପାଇଥିବା ତାଲିକା ଦୋକାନରେ ରହିଥିବା ଷ୍ଟକ୍ ସହ କୌଣସି ସମ୍ପର୍କ ନାହିଁ। ପୁରୁଣା ଷ୍ଟକ୍ ଉପରେ ୫୦% ଯୋଡ଼ି ଗ୍ରାହକଙ୍କ ଠାରୁ ନିଆଯାଉଛି। ତାଲିକା ଅନୁଯାୟୀ ନୂଆ ଦର ଗତକାଲି ଉତ୍ପାଦନ ହୋଇଥିବା ଷ୍ଟକ୍ ଉପରେ ଲାଗୁ କରାଯିବ। ଏବେ ପ୍ରଶ୍ନ ଉଠୁଛି, ଯଦି ଏହା ବାସ୍ତବତା, ତେବେ କେଉଁ ପରିସ୍ଥିତିରେ ନିଗମ ଆଗତୁରା ତାଲିକା ପ୍ରକାଶ କଲା? ରାଜ୍ୟ ସରକାରଙ୍କ ଅନୁମତି ନେଇ ସେ ଏଭଳି ତାଲିକା ଜାରି କରିଛନ୍ତି କି?
ଦୁଇ ଦିନ ହେଲା ଗ୍ରାହକ ଯେଉଁ ଲୁଟ୍ର ଶିକାର ହୋଇଥିବା ଅଭିଯୋଗ କରୁଛନ୍ତି, ସେ ବାବଦ ଅର୍ଥ କାହା ପକେଟ୍କୁ ଗଲା, ତାର ତଦନ୍ତ ହେବାର ଆବଶ୍ୟକତା ରହିଛି। ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି, ଆଣ୍ଟିକ୍ବିଟି ବ୍ଲୁ ହ୍ବିସ୍କି (୭୫୦ ମିଲି)ର ଏମ୍ଆରପି ୧୦୧୫ଟଙ୍କା ରହିଛି। ଦୋକାନୀ ତାକୁ ୧୫୨୨ଟଙ୍କା ନେଉଛି। ହେଲେ ଓଏସ୍ବିସି ଏହାର ଦର ୧୪୩୦ ଧାର୍ଯ୍ୟ କରିଥିବାରୁ କାହିଁକି ଆମ ଠାରୁ ୯୨ ଟଙ୍କା ଅଧିକ ନିଆଯାଉଛି?ଏଭଳି ଦୁଇ ଦିନରେ ଲକ୍ଷ ଲକ୍ଷ ଟଙ୍କା ମଦ ଦୋକାନୀ ନେଲେଣି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।
ବିଭାଗର ଜଣେ ଉପରିସ୍ଥ ନିଜ ନାମ ଗୋପନ ରଖିବା ସର୍ତରେ କହିଛନ୍ତି, ମଦ ଉପରେ କୋଭିଡ୍ କର ମିଶାଇ ପ୍ରତ୍ୟେକ ମଦର ଦର ତାଲିକା ଓଡ଼ିଶା ରାଜ୍ୟ ପାନୀୟ ନିଗମର ୱେବସାଇଟରେ ଉପଲବ୍ଧ କରାଯାଇଛି। ଯାହାକୁ ଦେଖି ଲୋକେ ଦୋକାନୀ ସହିତ ମଦର ଦର ନେଇ ଯୁକ୍ତି ତର୍କ କରୁଛନ୍ତି। ନୂଆ ଦର ଅନୁଯାୟୀ ଓଏସ୍ବିସି ମଦର ବେସ୍ ଦରକୁ ନେଇ ଧାର୍ଯ୍ୟ କରିଛି। ବେସ୍ ଦର ଉପରେ ଭାଟ୍ ଯୋଗକରି ନୂଆ ଦର ଧାର୍ଯ୍ୟ କରାଯାଇଛି। ନୂଆ ଦର କେବେଠୁ ଲାଗୁ ହେବ ସେ ନେଇ ତଥ୍ୟ ୱେବସାଇଟରେ ଉପଲବ୍ଧ ନ ଥିବାରୁ ଗ୍ରାହକ ଜାଣିପାରୁ ନାହାନ୍ତି। ଯାହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।
ସରକାର ଜାରି କରିଥିବା ନୂତନ ମୂଲ୍ୟ