ବାରିପଦା:(ସୀତାରାମ ଦୀକ୍ଷିତ)ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବ।ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି। ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ରମନ୍ଥନରୁ ପାରିଜାତ ଫୁଲର ଉତ୍ପତ୍ତି। ଏହି ସୁନ୍ଦର ଫୁଲର ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ। ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ପାରିଜାତ ଆଣି ରାଣୀ ରୁକ୍ମିଣୀଙ୍କୁ ଉପହାର ଦେଇଥିଲେ ଭଗବାନ ଶ୍ରୀକୃଷ୍ଣ। ସେହି ସମୟରୁ ମର୍ତ୍ତ୍ୟରେ ପବିତ୍ର ଏବଂ ଶୁଭ ବୋଲି ବିଶ୍ବାସ କରାଯାଉଥିବା ପାରିଜାତ ଫୁଲର ସୃଷ୍ଟି।
ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୌରପରିଷଦ ଅନ୍ତର୍ଗତ ୧୫ନଂ ୱାର୍ଡ଼ ପୂର୍ଣଚନ୍ଦ୍ରପୁରରେ ଦେଖିବାକୁ ମିଳିଛି ଫୁଟିଥିବା ପାରିଜାତଫୁଲ। ଏଠାକାର ବାସିନ୍ଦା ଶୁକଦେଵ ତ୍ରିପାଠୀଙ୍କ ବଗିଚାରେ ଫୁଟିଛି ପାରିଜାତଫୁଲ। ଯାହାର ଦର୍ଶନ ପାଇଁ ଲାଗିଛି ଲୋକଙ୍କର ଧାଡ଼ି। ଆଜକୁ ୩୦ବର୍ଷ ତଳେ ତାଙ୍କ ବଡ଼ପୁଅ ଆଣି ଘରବଗିଚାରେ ଲଗାଇଥିଲେ ପାରିଜାତଫୁଲ ଗଛ।
ସେହିଦିନ ଠାରୁ ଆଜିପର୍ଯ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହ ପାରିଜାତ ଫୁଲଗଛର ଯତ୍ନ ନେଇଆସୁଥିଲେ ଶୁକଦେବଙ୍କ ସହଧର୍ମିଣୀ। ତେବେ ଦୀର୍ଘ ୩୦ ବର୍ଷର ଅପେକ୍ଷା ପରେ ଫୁଲ ଫୁଟିଥିବାରୁ ପରିବାରରେ ସମସ୍ତେ ବେଶ ଆନନ୍ଦିତ। ଅନ୍ୟପଟେ ଗଛ ଲଗାଇଲେ ମଧ୍ୟ ଫୁଲଫୁଟିବା ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଲାଗିରହିଥିବା ଏକ ସଂକଟ ସମୟ ପରିପ୍ରେକ୍ଷୀରେ ପାରିଜାତଫୁଲ ଫୁଟିବା ବେଶଏକ ଶୁଭଶଙ୍କେତ ବୋଲି ବିଶ୍ୱାସ କରାଯାଉଛି।