ଭୁବନେଶ୍ୱର:ତା ୧୪/୪ : କରୋନା ସଂକ୍ରମଣଙ୍କୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍ଡାଉନ ସମୟସୀମା ଅପ୍ରେଲ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି । ତେଣୁ ପୂର୍ବବତ ଜିଲ୍ଲାରେ କରୋନା ସଂପର୍କିତ ନିୟମାବଳୀକୁ କଡ଼ାକଡି଼ ଭାବେ ପାଳନ କରାଯାଉଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । କେବଳ ଅତ୍ୟାବଶ୍ୟକୀୟ ସେବା ଦ୍ରବ୍ୟ ଜିଲ୍ଲାବାସୀଙ୍କ ପାଇଁ ଉପଲବ୍ଧ ଥିବାବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ସୋମବାରଠାରୁ ବହି ଦୋକାନ ଖୋଲିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ଅତ୍ୟାବଶ୍ୟକୀୟ ସେବାରେ ଲାଗିଥିବା ଗାଡି଼ଗୁଡି଼କ ଖରାପ ହେଲେ ତାହାର ମରାମତି ପାଇଁ ଗ୍ୟାରେଜ, ସାଇକେଲ ମରାମତି ଦୋକାନ, ବିଦ୍ୟୁତ ମରାମତି ଦୋକାନ, ଓ ଦୁଗ୍ଧଜାତ ସାମଗ୍ରୀର ବିକ୍ରୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଅନେକ ବ୍ୟକ୍ତି ଯେଉଁମାନେ କି ଖାଦ୍ୟ ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟ ଉପରେ ନିର୍ଭର କରନ୍ତି ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ କଥା ବିଚାର କରାଯିବା ପାଇଁ ।
ଯେହେତୁ ସହରାଂଚଳରେ ଏହିଭଳି ସମସ୍ୟା ରହୁଛି ତେଣୁ ଜିଲ୍ଲାପାଳ ଶ୍ରୀ ଦାସ ଯାଜପୁର ଓ ବ୍ୟାସନଗର ପୌରାଂଚଳର କିଛି ହୋଟେଲ ମାଲିକଙ୍କ ସହ ଆଲୋଚନା କରିଥିଲେ । ଟେଲି ମେଡି଼ସିନ ଭଳି ଟେଲିଫୁଡ଼ ଯୋଗାଇବାକୁ ଏଥିରେ ନିଷ୍ପତି ନିଆଯାଇଛି । ଲୋକମାନେ ମିଡି଼ଆ ଓ ସୋସିଆଲ ମିଡି଼ଆ ମାଧ୍ୟମରେ ହୋଟେଲର ନାମ ଓ ଯୋଗାଯୋଗ ନମ୍ବର ପ୍ରଦାନ କରାଯିବ ସେମାନେ ତାଙ୍କର ଆବଶ୍ୟକତା ଅନୁସାରେ ଅର୍ଡର କଲେ ଖାଦ୍ୟ ସେମାନଙ୍କ ଘରେ ହୋମ ଡେଲିଭରି ମାଧ୍ୟମରେ ପହଂଚାଯିବ । କିନ୍ତୁ ଏହି ହୋଟେଲ ମାନଙ୍କରେ କେବଳ ହୋମ ଡେଲିଭରି ପାଇଁ ଅନୁମତି ଦିଆଯାଇଛି, ତେଣୁ ସେଠାରେ ଲୋକଙ୍କୁ ବସେଇ ଖାଇବାକୁ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରି ଦେବା ସହ ଏଥିରେ ବ୍ୟକ୍ତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି ।
ଏହି ହୋଟେଲ ଓ ଯୋଗାଯୋଗ ନମ୍ବର ଗୁଡି଼କ ହେଲା –
ଯାଜପୁର ରୋଡ଼ର ହୋଟେଲ ବ୍ରାହ୍ମଣୀ – ୮୭୬୩୯୨୯୯୧୯, ଦୟାଲ ରେସିଡେନ୍ସି – ୮୦୯୩୦୯୯୯୧୭, ଡିୟୁ ପ୍ଲାଜା – ୭୦୭୭୩୩୨୨୨୨, ୮୨୭୦୩୧୩୧୮୫, ୮୬୩୭୨୫୮୨୬୭, ରୟାଲ କଳିଙ୍ଗ ହୋଟେଲ – ୮୯୮୪୦୧୦୯୪୯, ହୋଟେଲ ନଟରାଜ ରୟାଲ – ୭୩୭୭୬୬୪୪୮୯, ୯୪୩୮୦୬୨୬୦୯, ମୀରାବେଲ ହୋଟେଲ – ୯୯୩୭୨୦୭୧୭୯ ଏବଂ ଯାଜପୁର ଟାଉନର ବାୟାନନା ହୋଟେଲ – ୯୦୭୮୧୧୦୧୧୬