ଭୁବନେଶ୍ୱର:୨୩।୦୩ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନକୁ ସମ୍ପ୍ରସାରଣ କଲେ ରାଜ୍ୟସରକାର। ୫ ଜିଲ୍ଲାରୁ ୧୪ ଜିଲ୍ଲାକୁ ସରକାର ଲକଡାଉନ ସମ୍ପ୍ରସାରଣ କରିଛନ୍ତି। ସଂପ୍ରସାରଣ ହୋଇଥିବା ଲକଡାଉନ୍ ତାଲିକାରେ ସାମିଲ ହୋଇଥିବା ଜିଲ୍ଲାଗୁଡିକ ହେଲା ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। କରୋନା ଭୂତାଣୁ ମହାମାରୀକୁ ରୋକିବା ପାଇଁ କହିବାକୁ ଗଲେ ଦେଶର ଅର୍ଦ୍ଧେକ ଜନସଂଖ୍ୟା ସଂପ୍ରତି ଲକଡାଉନରେ ଅଛନ୍ତି। ମାତ୍ର ଏବେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଗ୍ରୁପରେ ସଡକରେ ବୁଲୁଥିବା ଦେଖିବାକୁ ମିଳିଛି। ଦେଶର ସମସ୍ତ ଅଞ୍ଚଳରେ ଏମିତି ଚିତ୍ର ଦେଖିବାକୁ ମିଳିଛି। ସଉଦା ଓ ପରିବା ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି।ରାଜ୍ୟବାସୀ ଏହାର ଗୁରୁତ୍ୱ କିମ୍ବା ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ ନକରି ଲକ୍ ଡାଉନ୍ ଉଲ୍ଲଂଘନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରି ଦେଇଥିବାରୁ ଏହାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ କରୋନା ମୁଖପାତ୍ର ସୁବ୍ରତ ବାଗ୍ଚୀ।
ଏ ପରିସ୍ଥିତିରେ ରାଜ୍ୟବାସୀଙ୍କୁ ପରାମର୍ଶ ଦେବା ସହ ଚେତାଇ ଦେବାକୁ ଯାଇ ଶ୍ରୀ ବାଗ୍ଚୀ କହିଛନ୍ତି ଯେ ଏହାକୁ ରାଜ୍ୟବାସୀ କୌଣସି ରାଜନୈତିକ ଦଳ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡକରା ବୋଲି ଭାବନ୍ତୁ ନାହିଁ, କିମ୍ବା ସେ ଧରଣର ଆଚରଣ ମଧ୍ୟ ପ୍ରଦର୍ଶନ କରନ୍ତୁ ନାହିଁ। ନିଜ ଅନିଚ୍ଛା ସତ୍ତ୍ୱେ କେବଳ ମାତ୍ର ରାଜ୍ୟବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କୁ ଏପ୍ରକାରର କଠୋର ନିଷ୍ପତ୍ତି ନେବା ପାଇଁ ପରିସ୍ଥିତି ବାଧ୍ୟ କରିଛି। କାରଣ, ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଆପଣମାନେ କେବଳ ମାତ୍ର ନିଜ ଘର ଭିତରେ ନିଜକୁ ଗୃହବନ୍ଦୀ କରି ରଖି ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିପାରିବେ। ଏହାର ଅନ୍ୟ କୌଣସି ପ୍ରକାରର ବିକଳ୍ପ ନାହିଁ।କରୋନା ମୁକାବିଲା ପାଇଁ ଲକଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ କୁହଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଏଭଳି ନିର୍ଦ୍ଦେଶ ଦେଇଛି। କେନ୍ଦ୍ର ନିୟମ ଖିଲାପକାରୀଙ୍କ ବିରୋଧରେ ରାଜ୍ୟ ସରକାର କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାକୁ ନେଇ ବି ପ୍ରଶ୍ନ କରିଛି କେନ୍ଦ୍ର।