ଭୁବନେଶ୍ୱର ୨୩।୦୩: କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ । ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରାଯାଇଥିବା ବେଳେ ସୋମବାର ଠାରୁ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଚାଲିଛି । ସଂକ୍ରମଣକୁ ରୋକିବା ପାଇଁ ସପ୍ତାହେ ବ୍ୟାପୀ ୫ ଜିଲ୍ଲା ଏବଂ ୮ ସହରକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଗତକାଲି ‘ଜନତା କର୍ଫ୍ୟୁ’କୁ ସାରା ରାଜ୍ୟ ମାନିଥିଲା। ରାସ୍ତା ଘାଟ ଥିଲ ଶୁନ୍ଶାନ୍। କାଁଭାଁ ଗାଡ଼ି ଚଳାଚଳ କରୁଥିଲା। ଆଜି କର୍ଫ୍ୟୁ ନାହିଁ ସତ, ହେଲେ ଲକ୍ ଡାଉନ୍ ବଳବତ୍ତର ରହିଛି। ଏହା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଛକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଡମଣା, ଜୟଦେବ ବିହାର, ନାଲକୋ ଛକ, ଆଚାର୍ଯ୍ୟ ବିହାର ଭଳି ଛକରେ ଅନ୍ୟ ଦିନଠୁ କିଛି ଅଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୋଲିସ୍ ପକ୍ଷରୁ ବିଭିନ୍ନ ଛକରେ କଡ଼ା ଯାଞ୍ଚ କରିବା ସହ ଲୋକଙ୍କୁ ପଚରାଉଚରା କରାଯାଉଛି।ବିଦେଶରୁ ୩ ହଜାର୨ଶହ ଓଡ଼ିଆ ଫେରିଛନ୍ତି । ଯେଭଳି ତାଙ୍କ ସଂସ୍ପର୍ଶରେ କେହି ନଆସିବେ ଏବଂ କରୋନା ନ ବ୍ୟାପିବ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ଏହି ସମୟରେ ଆତ୍ୟାବଶ୍ୟକୀୟ ଜିନିଷ ଦୋକାନ ଏବଂ ଜରୁରୀକାଳୀନ ସେବା ଖୋଲା ରହିବ । ଖୋର୍ଦ୍ଧା, ଗଞ୍ଜାମ, କଟକ,କେନ୍ଦ୍ରପଡା ଓ ଅନୁଗୋଳ ଜିଲ୍ଲାର ସମସ୍ତ ଗାଁ ଓ ସହର ପୂରା ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ସମେତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ଟାଉନ ଓ ଯାଜପୁର ରୋଡ ଏସବୁ ସହରକୁ ମଧ୍ୟ ୭ଦିନ ଲକଡାଉନ ଘୋଷଣା କରାଯାଇଛି । ଏହି ଲକ ଡାଉନ ସମୟରେ ଆତ୍ୟାବଶ୍ୟକୀୟ ସେବା ଜାରି ରହିବ ।ଲକ୍ ଡାଉନ୍ ପାଇଁ ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି | ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି। ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ଥିବା ଜଣାଯାଇଛି | ପୁରୀ ପୁଲିସ୍ ପକ୍ଷରୁ ୨୬ଟି ବ୍ଲକିଂ ପଏଣ୍ଟ ଚିହ୍ନଟ କରାଯାଇଛି ଏବଂ ସେଠାରେ ପୁଲିସ ନିୟୋଜିତ ହୋଇଛି | ସହରରେ ୨୦ଟି ମୋବାଇଲ୍ ପାର୍ଟି ଗତି କରୁଛି | ବାହାର ଗାଡ଼ିଗୁଡ଼ିକୁ ପୁରୀ ସହରକୁ ଛଡ଼ା ଯାଉନାହିଁ। ତେବେ ସ୍ବର୍ଗଦ୍ବାରକୁ ଯାଉଥିବା ଗାଡ଼ିକୁ ଛଡ଼ାଯାଉଛି।ସମସ୍ତ ଖୋଲାଥିବା ଅନାବଶ୍ୟକ ଦୋକାନଗୁଡ଼ିକୁ ବନ୍ଦ କରାଯାଉଛି| ଆଜି ପୁରୀରେ ବସ୍ ଚଳାଚଳ ପ୍ରାୟତଃ ବନ୍ଦ ରହିଥିବା ଜଣାଯାଇଛି। ତେବେ ସକାଳେ ପୁରୀର ବଡ଼ଶଙ୍ଖଠାରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।
ସୂଚନାଯୋଗ୍ୟ, ‘କରୋନା’ ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ଶ୍ରୀମନ୍ଦିରରେ ଗତ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନ ବନ୍ଦ କରି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଯାଇଛି। ମହପ୍ରଭୁଙ୍କ ନୀତିକାନ୍ତି କିନ୍ତୁ ଯଥାରୀତି ଚାଲିଛି। ତଥାପି ଏହି ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସେବାୟତଙ୍କ ଉପରେ ବି ନଜର ପକାଇଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଥର୍ମାଲ୍ ସ୍କ୍ରିନିଂ ଆରମ୍ଭ ହୋଇଛି। ପୁଲିସ ଥର୍ମାଲ୍ ସ୍କ୍ରିନିଂ କରି ସେବାୟତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ଦେଇଛି। କେବଳ ସିଂହଦ୍ବାରରେ ଏହି ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି।