ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୮୦୦  କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍‌ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

ଆସନ୍ତା ୧୨ ଘଣ୍ଟାରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗତକାଲି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖ ଦିନ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।୧୭ତାରିଖରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ।

ଏଥିସହ ରାଜ୍ୟର ସମସ୍ତ ବନ୍ଦରରେ ଡିସି-୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।