ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ପୁଣି ଶିଶୁ କନ୍ୟା ହେଲା ଅଲୋଡ଼ା। ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ କନ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ଚଣା ବ୍ଲକ ତିଳପଦା ଗ୍ରାମ ନିକଟରେ। ଆଜି ସକାଳୁ ଦର୍ପଣ-କଳକଳା ପୂର୍ତ୍ତ ବିଭାଗ ରାସ୍ତାର ତିଳପଦା ଗ୍ରାମ ନିକଟରେ ଏକ ନବ ଜାତକ ଶିଶୁ କନ୍ୟା ରାସ୍ତା କଡରେ ପଡି କାନ୍ଦୁଥିବାର ସ୍ଥାନୀୟ ଲୋକେ ଶୁଣିବାକୁ ପାଇଥିଲେ। ପରେ ଶିଶୁକନ୍ୟାଟିକୁ ଗ୍ରାମବାସୀ ଉଦ୍ଧାର କରି ଜଣକ ଘରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ଖବର ଦେଇଥିଲେ । ପରେ ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ଉକ୍ତ ଗାଁ ରେ ପହଂଚି ଶିଶୁଟିକୁ ଉଦ୍ଧାର କରିଥିଲା । ପରେ ଉଦ୍ଧାର ଶିଶୁକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଶିଶୁଟିର ସ୍ୱାସ୍ଥ୍ୟଵସ୍ଥା ଭଲଥିବା ଡାକ୍ତର ପ୍ରକାଶ କରିଛନ୍ତି । ଉଦ୍ଧାର ହୋଇଥିବା ଶିଶୁକନ୍ୟାଟିର ଅବସ୍ଥା ଭଲ ଥିବା ବେଳେ ୩/୪ଦିନ ହେବ ଜନ୍ମଲାଭ କରିଥିବା ଅନୁମାନ କରାଯାଉଛି। ଏ ସଂକ୍ରାନ୍ତରେ ବଡ଼ଚଣା ଥାନାରେ ଏକ ଲିଖିତ ଅଭିଯୋଗ ହେବାପରେ ଶିଶୁ କନ୍ୟାଟିର ପ୍ରକୃତ ପିତାମାତା କୁ ଖୋଜିବା ନେଇ ତଦନ୍ତ ଜାରି ରହିଛି ।