ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁରରେ ଓପିଏସ ରଥ ପହଞ୍ଚିବା ପରେ ଶିକ୍ଷକ ସଂଘ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ନିଖିଳ ଉତ୍କଳ ପ୍ରାଥମିକ ସଂଘର ରାଜ୍ୟ ସଭାପତି ଅନିତା ମେହେରଙ୍କ ତତ୍ତ୍ବାବଧାନରେ ମନମୁଣ୍ଡାଠାରୁ ଏକ ଶୋଭାଯାତ୍ରାରେ ଏହି ରଥକୁ ପାଛୋଟି ଅଣା ଯାଇଥିଲା ।
ଶହ ଶହ ଶିକ୍ଷକ ଶିକ୍ଷୟିତ୍ରୀ ବାଇକ୍ ରାଲି କରି ରଥକୁ ସହର ପରିକ୍ରମା କରାଇଥିଲେ । ନୂତନ ପେନସନ ପ୍ରଥା ଉଛେଦ ଓ ପୁରୁଣା ପେନସନ ଲାଗୁ ହେବାର ଦାବି ନେଇ ଏହି ରଥ ନିଖିଳ ଭାରତ ପ୍ରାଥମିକ ଶିକ୍ଷିକ ଫେଡରେସନ ଆନୁକୂଲ୍ୟରେ ସମଗ୍ର ଭାରତ ବର୍ଷ ପରିକ୍ରମା କରୁଛି। ଏହି ଅବସରରେ ସ୍ଥାନୀୟ ପ୍ରତୀକ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।
ସଭାନେତ୍ରୀ ଅନିତା ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ନିଖିଳ ଭାରତ ପ୍ରାଥମିକ ଶିକ୍ଷିକ ଫେଡରେସନ ଉପ ସଭାପତି ରାମ ଅବତାର ପାଣ୍ଡେ , ପୂର୍ବତନ ବିଧାୟକ ବିନୋଦ ପାତ୍ର, ଶିକ୍ଷକ ନେତା ପ୍ରଦୀପ ପୁରୋହିତ, ମାଲକାନଗିରି ଏୟୁପିଟିଏଫ୍ ସଭାପତି ନୀଳକଣ୍ଠ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ ।
ଏହି ସଭାରେ ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ ପାଇଁ ଦୃଢ ଦାବି କରାଯାଇଛି । ଯଦି ୱାନ୍ ନେସନ୍ ୱାନ୍ ଇଲେକସନ୍ କଥା ଚିନ୍ତା କରାଯାଉଛି ତେବେ ୱାନ୍ ନେସନ୍ ୱାନ୍ ପେନସନ୍ କାହିଁକି ନୁହେଁ ବୋଲି ସଭାପତି ଅନିତା ମେହେର ପ୍ରଶ୍ନ କରିଥିଲେ । ପୁରୁଣା ପେନସନ ଲାଗୁ ନହେଲେ ନିର୍ବାଚନ ବର୍ଜନ କରିବାକୁ ଶିକ୍ଷକ ମାନଙ୍କୁ ସେ ଆହ୍ବାନ ଦେଇଥିଲେ ।