ଖପ୍ରାଖୋଲ: ୨୨/୯(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଖପ୍ରାଖୋଲ ଜୁରିଆ ରାସ୍ତା ସାନ ଉଡେନ ଗାଁ ନିକଟ ରେ ଶୁକ୍ରବାର ଅପରାହ୍ନ ରେ ଏକ ଟ୍ରକ ମୋଟର ସାଇକେଲ କୁ ଧକ୍କା ଦେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମୃତ ମୋଟର ସାଇକେଲ ଚାଳକ ହେଲେ ଲରମ୍ଭା ଥାନା ଦମାଇପାଲି ଗାଁ ର ଜୟଦେବ ବରିହା ଙ୍କ ପୁଅ ଶତ୍ରୁଘ୍ନ ବରିହା (୨୬) ବୋଲି ଜଣାଯାଇଛି। ସୂଚନା ଅନୁସାରେ ମୃତ ଶତ୍ରୁଘ୍ନ ତାଙ୍କ ସମ୍ପର୍କୀୟ ଘରୁ ନିଜ ଗାଁ କୁ ଫେରୁଥିବା ବେଳେ ସାନ ଉଡ଼େନ ଗାଁ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ଧକ୍କା ଦେବା ଫଳରେ ମୋଟର ସାଇକେଲ ସହ ଛିଟିକି ପଡ଼ିଥିଲେ।
ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଓ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ହେଲେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ କୁ ନେଇ କ୍ଷତି ପୂରଣ ଦାବିରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ଲୋକଙ୍କୁ ବୁଝା ସୁଝା ପରେ ଦୁର୍ଘଟଣା ଘଟାଇ ଥିବା ଟ୍ରକ୍ କୁ ଜବତ କରିବା ସହ ଡ୍ରାଇଭର ଛତିଶଗଡ ଅଞ୍ଚଳର ଗୋକର୍ଣ୍ଣ ବିଶ୍ଵକର୍ମା (୪୧) ସହ ଗାଡ଼ି ହେଲପର କୁ ଖପ୍ରାଖୋଲ ଥାନାରେ ଅଟକ ରଖିଥିବା ପୋଲିସ ସୂଚନା ଦେଇଛି।
ମୃତ ଦେହକୁ ଖପ୍ରାଖୋଲ ଡାକ୍ତର ଖାନା ରେ ରଖାଯାଇଛି। ଜବତ ଟ୍ରକ୍ ଟି ଛତିଶଗଡ ଅଞ୍ଚଳ ର ହୋଇଥିବା ବେଳେ ଗାଡ଼ି ନମ୍ବର ଟି ସିଜି ୦୬ଜି ଇ ୫୫୧୯ ଲେଖା ରହିଛି। ମୃତ ଯୁବକ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ଦୁଇ ବର୍ଷର ଏକ ପୁଅ ରହିଥିବା ଜଣାଯାଇଛି। ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହୋଇଛି। ଏନେଇ ଖପ୍ରାଖୋଲ ଥାନା ରେ କେସ ନମ୍ବର ୧୭୪/୨୩ ଏକ ମାମଲା ରୁଜୁ ହେବା ସହ ଘଟଣା ର ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।