Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ନେଦରଲ୍ୟାଣ୍ଡସରେ ମହାସମାରୋହରେ ରଥଯାତ୍ରା ଆୟୋଜନ

59 0

ଆଲମେରେ:୦୧/୦୭ ରିଖ ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥ ଯାତ୍ରା ଉତ୍ସବ ପାଳନ କରାଯାଇଛି। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ(ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଘୋଷଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉଭୟ ସଂଗଠକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଏବଂ ଅଫୁରନ୍ତ ଉଦ୍ଦୀପନା ଦେଖାଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ନେଦରଲ୍ୟାଣ୍ଡସର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ସହିତ ଆସି ବଢ଼ି ଚଢ଼ିକି ରଥ ଟଣା ଏବଂ ଭଜନ କୀର୍ତ୍ତନରେ ଭାଗ ନେବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା।

ରଥଯାତ୍ରା ଦିନ ସକାଳେ ଆଲମେରେର ଆଉଦ୍ରେହେପବର୍ଣ୍ଣସ୍ତ୍ରାଟଠାରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ପୂଜକଙ୍କ ଦ୍ୱାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହାପରେ ଠାକୁର ମାନଙ୍କୁ ରଥ ଉତ୍ସବର ସ୍ଥଳ ଦି ରୁଇମଟ ପ୍ରେକ୍ଷାଳୟକୁ ଅଣାଯାଇଥିଲା। ଏହି ଉପଲକ୍ଷେ ସଭାଗୃହକୁ ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆ, ବିଭିନ୍ନ ପ୍ରକାର ଫୁଲ, ଆମ୍ବପତ୍ର, ଚିତା, ମୁରୁଜ ଦ୍ଵାରା ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ସଜ୍ଜାଯାଇଥିଲା। ସମଗ୍ର ପରିବେଶଟି ଆଧ୍ୟାତ୍ମିକ ଓ ଭକ୍ତିପୂତ ଉତ୍ସ୍ୱାସରେ ଭରି ଉଠିଥିଲା। ଦିଅଁମାନଙ୍କୁ ପ୍ରେକ୍ଷାଳୟର ମଧ୍ୟ ଭାଗରେ ଶୋଭାପାଉଥିବା ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ଧାଡୀ ପହଣ୍ଡି କରି ନିଆଯାଇଥିଲା। ଉପସ୍ଥିତ ଦର୍ଶକ ମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା।

ଏହାପରେ ରଥ ଉପରେ ଜୀଉ ମାନଙ୍କର ଆରତୀ ଅନୁଷ୍ଠିତ ହୋଇଥିଲା। ଦିନ ସାଢେ ୧୨ଟା ସମୟରେ ବହୁ ଆକାଂକ୍ଷିତ ଓ ଦୀର୍ଘ ପ୍ରତିକ୍ଷିତ ରଥଟଣା ପର୍ବ ଆରମ୍ଭ ହୋଇଥିଲା। ମହାବାହୁ ତଥା ତାଙ୍କର ଭାଇ ଓ ଭଉଣୀ ବିଜେ କରିଥିବା ରଥଟିକୁ ଅଡିଟୋରିୟମର ଚତୁର୍ପାଶ୍ୱରେ ଦୀର୍ଘ ଏକ କିଲୋମିଟର ପରିଧି ମଧ୍ୟରେ ବୁଲାଯାଇ ପୁଣି ଉତ୍ସବ ସ୍ଥାନକୁ ଫେରାଇ ଅଣା ଯାଇଥିଲା। ନେଦରଲ୍ୟାଣ୍ଡସର ରାଜରାସ୍ତାରେ ରାଜକୀୟ ଠାଣିରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥ ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା। ଏହି ଅବସରରେ ହେଗସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ମିଶନ ଶ୍ରୀ ଜିନ୍ସ ମତ୍ତମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାରମ୍ପାରିକ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ରଥଯାତ୍ରା ଉତ୍ସବ ଉପଲକ୍ଷେ ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କ ମଧ୍ୟରେ ଜଗନ୍ନାଥ ଭଜନ ଓ ଓଡ଼ିଆ ସଙ୍ଗୀତଗାୟନ, ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ ତଥା ଶିଶୁ କଳାକାରମାନଙ୍କ ଦ୍ବାରା ବାଦ୍ୟ ଯନ୍ତ୍ର ପରିବେଷଣ ଆଦି ଖୁବ ମନୋରଞ୍ଜକ ଥିଲା।

ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ମଞ୍ଚସ୍ଥ ଭକ୍ତର ଭଗବାନ – ଦାସିଆ ବାଉରୀ ନାଟକରେ କଳାକାର ମାନଙ୍କର ଅଭିନୟ ଖୁବ ଜୀବନ୍ତ ଓ ନିଖୁଣ ଥିଲା ତଥା ଦର୍ଶକମାନଙ୍କୁ ଭାବବିହ୍ୱଳ କରିଦେଇଥିଲା। ଜଗନ୍ନାଥ ସଂସ୍କୃତିରେ ବଡ଼ ଠାକୁର ରାଜାପ୍ରଜା, ଧନୀଦରିଦ୍ର, ଦୁର୍ବଳ ସବଳ ନିର୍ବିଶେଷରେ ସମସ୍ତଙ୍କର ବୋଲି ଏହି ନାଟକରେ ମୁଖ୍ୟତଃ ଦର୍ଶାଯାଇଥିଲା। ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପାରମ୍ପାରିକ ପୋଷାକ ପ୍ରତିଯୋଗିତା ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା। ଶେଷରେ ଆଗନ୍ତୁକ ମାନଙ୍କୁ ଚାରକୋଲ କ୍ୟାଟରିଙ୍ଗ ଦ୍ଵାରା ପ୍ରସ୍ତୁତ ସ୍ଵାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ଯଥା ଘିଅ ଅନ୍ନ, ଡାଲମା, ବେସର, ଶାଗ, ଖଟା, ଚୁଡ଼ାଘସା, ଟଙ୍କତୋରାଣି ଓ ରସଗୋଲା ପରସା ଯାଇଥିଲା। ସମଗ୍ର ରଥଯାତ୍ରା ଉତ୍ସବ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କର ମାର୍ଗଦର୍ଶନରେ ସମ୍ପନ୍ନ କରାଯାଇଥିଲା।

ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ଓସକାନର ସୁଦକ୍ଷ ସଂଗଠକବୃନ୍ଦ ଯଥା ସଭାପତି ଶାଶ୍ଵତ ପାଢ଼ୀ, ସଦସ୍ୟଗଣ ସୁଶିଲ ଦାସ ମହାପାତ୍ର, ଅଂଶୁମାନ ମିଶ୍ର, ପରିତୋଷ ମହାପାତ୍ର, ନୀଳମାଧବ ମିଶ୍ର, ସୋମନାଥ ଲେଙ୍କା, ଲୋପାମୁଦ୍ରା ନାୟକ, ଦୀପକ ପରିଡ଼ା, ଦେବଦତ୍ତ ଦାସ, ଅରବିନ୍ଦ ଘଡାଇ ଏବଂ ଶୁଭେନ୍ଦୁ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଚଳିତବର୍ଷର ପ୍ରଥମ ରଥଯାତ୍ରାକୁ ଆୟୋଜନ କରିବାରେ ଏ.ଏ.ଓ.ଏନ୍. ଏକ୍ସ.ଟି, ନୋବେଲ ମୋର୍ଟଗେଜେସ, ଗୀକ୍ ସଫ୍ଟ କନସଲଟିଙ୍ଗ, ପ୍ରିଲକ କନସଲଟିଙ୍ଗ, ଇଟିଆ କନସଲଟିଙ୍ଗ ଓ ଇନୋଭରେନ୍ ଆଇଟି ପ୍ରମୁଖ ସଂସ୍ଥା ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ।

Related Post

ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନ

Posted by - June 25, 2022 0
ଆମଷ୍ଟରଡମ୍‍:୨୪ା୬ : ଓଡ଼ିଆ ସୋସିଓ କଲ୍‍ଚରାଲ୍‍ ଆସୋସିଏସନ୍‍, ନେଦରଲ୍ୟାଣ୍ଡସ (ଓସକାନ) ତରଫରୁ ନିକଟରେ ରଜ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ନେଦରଲ୍ୟାଣ୍ଡସର ଉତ୍ତରେକ୍‍ଟ…

ଜର୍ମାନୀରେ ଓଡ଼ିଶା ଦିବସ ପାଳନ ଉତ୍କଳ ସମାଜ ଉଦଘାଟନ

Posted by - April 18, 2023 0
ଫ୍ରାଙ୍କଫୁର୍ଟ: ୧୭.୦୪ ଜର୍ମାନୀରେ ମହାସମାରୋହରେ ୮୮ ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ଫ୍ରାଙ୍କଫୁର୍ଟ ଇଲାକାରେ ପ୍ରଥମ ପଞ୍ଜୀକୃତ ଓଡ଼ିଆ ସଂଗଠନ, ”…

ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଯଶବନ୍ତ ସିହ୍ନା,ରାହୁଲ ଗାନ୍ଧି ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ

Posted by - June 29, 2022 0
ଭୁବନେଶ୍ଵର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧିଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନା ଜୁନ୍ ୨୭ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।…

ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ଦ୍ଵାରା ଓଡ଼ିଶା ଦିବସ ପାଳନ

Posted by - April 2, 2023 0
ବିଶାଖାପାଟଣା:୦୨/୦୪ଭାଗ୍ୟର ନଗରୀ ବିଶାଖାପାଟଣାଠାରେ ମହାସମାରୋହରେ ୮୮ ତମ ଉତ୍କଳ ଦିବସ ପାଳନ କରାଯାଇଛି। ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଉତ୍କଳ ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଆୟୋଜିତ…

୨୦୨୦-୨୧ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ନେଇ ବିଭିନ୍ନ ରାଜନୀତିକ ଦଳର ପ୍ରତିକ୍ରିୟା

Posted by - February 1, 2020 191
ଭୁବନେଶ୍ୱର ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ନିର୍ମଳାଙ୍କ ଦ୍ୱିତୀୟ ବଜେଟ୍ ତେବେ ଅନେକ…