ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାରେ ଦୁର୍ନୀତି କୁ ବିରୋଧ କରୁଥିବା ସୂଚନା ଅଧିକାର କର୍ମୀ ଙ୍କ ଉପରେ ଆକ୍ରମଣ ହେଉଛି। ପୋଲିସ ଜାଣି ଶୁଣି ରାଜନୈତିକ ଚାପ ରେ ସୂଚନା ଅଧିକାର କର୍ମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉଛି। ଏହାର ପ୍ରତିବାଦ ରେ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆଜି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସୂଚନା ଅଧିକାର ଅଭିଯାନ ର ଆବାହକ ପ୍ରଦୀପ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଶୋଭାଯାତ୍ରା କିଆନାଳୀ ଛକ ରୁ ବାହାରି ଜିଲାପାଳ ଅଫିସ ରେ ପହଞ୍ଚିଥିଲା।
ଜିଲାରେ ପୂର୍ବରୁ ସୂଚନା ଅଧିକାର କର୍ମୀ ସୀମାନ୍ତ ପାତ୍ର ଙ୍କ ସମେତ ବହୁ କର୍ମୀ ଙ୍କ ଉପରେ ଆକ୍ରମଣ ହୋଇଥିବା ବେଳେ ଏବେ ଧର୍ମଶାଳା ର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେଣୁ ଏଭଳି ଉଦ୍ୟମ ବନ୍ଦ ହେବା ଆବଶ୍ୟକ ବୋଲି ମତ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ ଶତାଧିକ ସୂଚନା ଅଧିକାର କର୍ମୀ ଉପସ୍ଥିତ ଥିଲେ ।