କଟକ :ରଜ ପାଳନ ପାଇଁ କଟକ ସହର ସତେ ଯେମିତି ମତୁଆଲା ହୋଇ ଉଠେ । ଏମିତି କଟକରେ ଜାତି, ଧର୍ମ, ବର୍ଣ୍ଣର ବାଛ ବିଚାର ନଥିବାରୁ ଏହାକୁ ଭାଇଚାରାର ସହ ବୋଲି କୁହାଯାଏ । ସମସ୍ତ ଧର୍ମର ଲୋକ ପ୍ରତ୍ୟେକ ଧର୍ମର ପର୍ବପର୍ବାଣୀକୁ ଏକାଠି ପାଳନ କରି ସାରା ଭାରତରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ତେବେ ରାଜନୈତିକ କ୍ଷେତ୍ରରେ ମଧ୍ୟ ବାଛ ବିଚାର ହଜିଯିବା ଭଳି ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ଏପରିକି ଶାସକ ବିରୋଧୀ ଦଳର ନେତାମାନେ ମଧ୍ୟ ଏକାଠି ଦୋଳିରେ ଝୁଲିବା ଘଟଣା ରଜପର୍ବକୁ ଅଧିକ ପବିତ୍ର ତଥା ଆକର୍ଷଣୀୟ କରି ପକାଇଛି ।
ଚଳିତ ବର୍ଷ ରଜପର୍ବ ପାଳନ ଅବସରରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ କଂଗ୍ରେସ ଦଳର ହୋଇଥିବାବେଳେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ବିଧାୟକ ସୌଭିକ ବିଶ୍ୱାଳ ଏକାଠି ରଜଦୋଳି ଖେଳୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଉଭୟଙ୍କୁ ଦୋଳିରେ ବସାଇ ସିଏମସି ମେୟର ସୁବାସ ସିଂହ ମଧ୍ୟ ସେମାନଙ୍କୁ ଝୁଲାଇ ରଜ ପର୍ବର ନିଆ ମଜା ନେଉଥିବା ଆବାଳ ବୃଦ୍ଧ ବନିତାଙ୍କୁ ଚକିତ କରିଛି । କଟକ ସହରରେ ରଜ ମହୋତ୍ସବ ପାଳନ କରୁଥିବାବେଳେ ବିଭିନ୍ନ ବର୍ଗର ଲୋକେ ଦୋଳି ଖେଳି ଏହାର ମଜା ଲୁଟିଥିଲେ । ଏହି ପରିପ୍ରେକ୍ଷୀରେ ସିଏମସି ବିକାଶ ଭବନ କାର୍ଯ୍ୟାଳୟ ପରିସରରେ ରଜ ମହୋତ୍ସବ ପାଳନ ହେଉଥିବାବେଳେ ସେଠାରେ ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଗୋଟିଏ ପଟେ ବିଜେଡି ଓ କଂଗ୍ରେସ ମଧ୍ୟରେ ତିବ୍ର ରାଜନୈତିକ ପ୍ରତିଦ୍ୱନ୍ଦିତା ଚାଲିଥିବାବେଳେ ଉଭୟ ଦଳର ନେତା ଏକାଠି ଦୋଳି ଖେଳିବା ଏବଂ ମେୟର ସୁବାସ ସିଂହଙ୍କୁ ବିଧାୟକ ମୋକିମ ରଜପାନ ଖୁଆଇ ଦେବାର ଦୃଶ୍ୟ ଏକ ବିରଳ ଥିଲା । ସଦା ସର୍ବଦା ରାଜନୈତିକ କ୍ଷେତ୍ର ହେଉବା ଉନ୍ନତିମୂଳକ କ୍ଷେତ୍ର ସବୁଠାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଥାଏ । ଉଭୟ କର୍ମକର୍ତ୍ତା ପରସ୍ପରକୁ ଦୋଷ ଦେଇଥାନ୍ତି । ହେଲେ ରଜ ମହୋତ୍ସବରେ ଉଭୟ ଦଳର ନେତା ଏକାଠି ଦୋଳିଖେଳିବା କଟକ ଭୋଟରଙ୍କ ପାଇଁ ଏକ ସକରାତ୍ମକ ବାର୍ତ୍ତା ଯାଇଛି । ଫଳରେ ଆଗାମୀ ନିର୍ବାଚନରେ ଜନସାଧାରଣଙ୍କ ରାଜନୈତିକ ସମୀକରଣକୁ ନେଇ ଅଙ୍କ କଷିବା ଛାଡ଼ି ବ୍ୟକ୍ତିତ୍ୱକୁ ନେଇ ଅଙ୍କ କଷିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ ରଜ ପର୍ବରେ ପିଠା ମିଠାର ସ୍ୱାଦ ସାଙ୍ଗକୁ ଗରମାଗରମ ରାଜନୈତିକ ଚର୍ଚ୍ଚା ରଜ ମାହୋଲକୁ ଆହୁରି ରଙ୍ଗାୟିତ କରିଦେଇଛି ।
ଏହି କାର୍ଯ୍ୟକ୍ରମରେ ଅନେକ ମହିଳା କର୍ପୋରେଟର ଦୋଳି ଖେଳି ମଜା ନେବାର ଦୃଶ୍ୟ ବି ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଏଭଳି କାର୍ଯ୍ୟକ୍ରମ ସହିତ ଅନ୍ୟପଟେ ଚାଉଳିଆଗଞ୍ଜରେ ଆୟୋଜିତ ରଜ ମହୋତ୍ସବ କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଦୋଳିରେ ଝୁଲିବା ଦେଖିବାକୁ ମିଳିଛି । ଚୌଦ୍ୱାର-କଟକ ଅଞ୍ଚଳରେ ବାରବାଟୀ-କଟକ ବିଧାୟକଙ୍କ ଦୋଳି ଖେଳ ଅନେକ କାରଣରୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।
କିନ୍ତୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଅଥବା ପ୍ରଭାତରଞ୍ଜନ ବିଶ୍ୱାଳଙ୍କୁ କେଉଁଠି ଦୋଳିରେ ବସି ଝୁଲିବା ଦେଖିବାକୁ ମିଳି ନାହିଁ । ତେବେ ସମ୍ପ୍ରତି ରାଜ୍ୟ ରାଜନୀତିରେ ଅନେକ ଅଛିଣ୍ଡା ଅଙ୍କ ପ୍ରଭାତଙ୍କ ସମ୍ମୁଖରେ ଥିବାରୁ ସେ ଚାପରେ ଅଛନ୍ତି ତେଣୁ ଦୋଳି ଖେଳିବାର ମଜା ଉଠାଇବାକୁ ତାଙ୍କର ସରାଗ ନଥିବା ପାଖ ଲୋକମାନେ କଥା ପ୍ରସଙ୍ଗରେ କହିଛନ୍ତି । ତେବେ ଯାହା ହେଉ ପୁଅକୁ ଦୋଳି ଖେଳିବାକୁ ପଠାଇ ଦେଇ ବାପା ଏହାର ଆନନ୍ଦ ନେଉଥିବା ମଧ୍ୟ କୁହାଯାଉଛି । ମାତ୍ର ଆଗାମୀ ନିର୍ବାଚନରେ ଏହି ନେତାମାନେ ଦୋଳିରେ ଝୁଲିବେ କି ନାହିଁ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି ।