ଯାଜପୁର :ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ। ଚଳିତ ବର୍ଷର ଥିମ ରହିଛି ସାହାଯ୍ୟକାରୀଙ୍କୁ ସାହାଯ୍ୟ। କିଟ,କିସ ଓ କଳିଙ୍ଗ ଟିଭିରର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ପ୍ରଫେସର ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଏହି ଦିବସ ପାଳିତ ହୋଇଆସୁଛି।
ଚଳିତ ବର୍ଷ ଏହା ୧୦ତମ ସଂସ୍କରଣରେ ପହଞ୍ଚିଛି। ସମସ୍ତଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସଂପ୍ରିତି ଭାବ ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଏହିକ୍ରମରେ ସାରା ବିଶ୍ଵବ୍ୟାପୀ ଆଜି ଏହି ଦିବସ ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ ଯାଜପୁର ଜିଲ୍ଲା ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଏହି ଦିବସକୁ ପାଳନ କରାଯାଇଛି।
କିଟ ଅନୁଷ୍ଠାନର ଅନ୍ୟତମ ଉପନିର୍ଦ୍ଦେଶିକା ସୂଚରିତା ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ କଳିଙ୍ଗନଗରସ୍ଥିତ ଭୂଲେଖ ଓ ବନ୍ଦୋବସ୍ତ ବିଭାଗର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେଉରିଆ, ଯାଜପୁର ପୌରପାଳିକାର ପୂର୍ବତନ ନଗରପାଳ ଭଵ ପ୍ରସାଦ ଦାସ, ପୌରପାଳିକାର ଉପନଗରପାଳ ସନ୍ତୋଷ କୁମାର ମଲିକ ପ୍ରମୁଖ ଯୋଗଦେଇ ପ୍ରଫେସର ଡ଼. ଅଚ୍ୟୁତ ସାମନ୍ତଙ୍କ ଏହି ପ୍ରୟାସକୁ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଅଭିହିତ କରିଥିଲେ।
କିଟର ଡେପୁଟି ରେଜିଷ୍ଟାର ସମାବେଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଶା, ଅଙ୍ଗନୱାଡି, ଟ୍ରାଫିକ ପୋଲିସ, ସଫେଇ କର୍ମଚାରୀ, ରିକ୍ସା ଚାଳକ, ଆଟୋ ଚାଳକ ଆଦି ବିଭିନ୍ନ ବର୍ଗର ୨ଶହ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ଉପହାର ପ୍ରଦାନ କରଯାଇଥିଲା।
ପ୍ରାରମ୍ଭରେ ପ୍ରଫେସର ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଂର ଦୀର୍ଘ ୧୦ବର୍ଷର ଯାତ୍ରା ସମ୍ପର୍କିତ ଏକ ବୃତ ଚିତ୍ର ପ୍ରଦର୍ଶନ କରାଯାଇଥିଲା। କଳିଙ୍ଗ ଟିଭି ପ୍ରତିନିଧି ଅବିନେଶ୍ୱର ଶତପଥୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଦେବାଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।