ବୌଦ୍ଧ:୧୩/୫(ଚିତ୍ତରଞ୍ଜନ ସିଂହ)ବୌଦ୍ଧର ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲଙ୍କ କାର୍ରେ ପେଟ୍ରୋଲ ସହିତ ପାଣି ଭର୍ତ୍ତିକରିବା ଘଟଣାର ଚୁଡାନ୍ତ ଫଇସଲା ହୋଇଛି । ବୌଦ୍ଧ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗରୁ ଏହି ମାମଲା ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗ ହୋଇ ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଖାଉଟି ବିବାଦ ସମାଧାନ ଆୟୋଗ ନୂଆଦିଲ୍ଲୀ ଯାଏଁ ଚାଲିଥିଲା । ୨୦୧୪ ମସିହା ଅଗଷ୍ଟ ୧୦ ତାରିଖରେ ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ସାମଲ ପୁରୁଣା ବ୍ଲକଛକ ସ୍ଥିତ ବୌଦ୍ଧ ଫିଲିଙ୍ଗ ଷ୍ଟେସନରେ ନିଜ କାର୍ରେ ୧୫ଶହ ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ । ଯେହେତୁ ପେଟ୍ରୋଲ ସହିତ ପାଣି ଶ୍ରୀ ସାମଲଙ୍କ କାର୍ରେ ବୌଦ୍ଧ ଫିଲିଙ୍ଗ ଷ୍ଟେସନ ଭର୍ତ୍ତି କରିଦେଇଥିଲା, ଅପମିଶ୍ରିତ ପେଟ୍ରୋଲ ଯୋଗୁଁ କାର୍ ଅଚଳ ହେବାସହ କଟକସ୍ଥିତ କାର୍ କଂପାନୀ ୱାର୍କସପ୍ରେ ସଜଡା ଯାଇଥିଲା ।
ଏହା ବିରୁଦ୍ଧରେ ଶ୍ରୀ ସାମଲ ବୌଦ୍ଧସ୍ଥିତ ଖାଉଟି ଆୟୋଗରେ ଅଭିଯୋଗ ଦାଖଲ କରିଥିଲେ । ଗତ ୯ ସେପ୍ଟେମ୍ବର ୨୦୧୪ରେ ବୌଦ୍ଧ ଆୟୋଗରେ ଦାଏର ହୋଇଥିବା ଏହି ମାମଲାର ଫଇସଲା ୩୧ ଡିସେମ୍ବର ୨୦୨୦ରେ ଆସିଥିଲା । ଏହି ନିର୍ଦ୍ଦେଶରେ ବୌଦ୍ଧ ଫିଲିଙ୍ଗ ଷ୍ଟେସନକୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶରେ କୁହାଯାଇଥିଲା । ଏହା ବିରୁଦ୍ଧରେ ବୌଦ୍ଧ ଫିଲିଙ୍ଗ ଷ୍ଟେସନ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗରେ ଜିଲ୍ଲା ଖାଉଟି ଅଦାଲତର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଯାହାର ଫାଇନାଲ ଫଇସଲା ୨ ମାର୍ଚ୍ଚ ୨୦୨୩ରେ ଜିଲ୍ଲା ନିର୍ଦ୍ଦେଶର ୫୦ ହଜାର କ୍ଷତିପୂରଣକୁ ୩୦ ହଜାର ଟଙ୍କା ୪୫ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଖିଲାପ କଲେ ୯ ଶତକଡା ସୁଧରେ ସମସ୍ତ ଅର୍ଥ ପ୍ରଦାନ କରିବାକୁ ରାଜ୍ୟ ଖାଉଟି ଆୟୋଗ ନିର୍ଦ୍ଦେଶରେ ସ୍ପଷ୍ଟ କରିଥିଲେ ।
ଏହାପରେ ବୌଦ୍ଧ ଫିଲିଙ୍ଗ ଷ୍ଟେସନ ତରଫରୁ ରାଜ୍ୟ ଖାଉଟି ଆୟୋଗର ନିର୍ଦ୍ଦେଶକୁ ରାଷ୍ଟ୍ରୀୟ ଖାଉଟି ବିବାଦ ସମାଧାନ ଆୟୋଗରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୭ ଅପ୍ରେଲ ୨୦୨୩ରେ ବୌଦ୍ଧ ଫିଲିଙ୍ଗ ଷ୍ଟେସନର ସମସ୍ତ ଯୁକ୍ତିକୁ ରାଷ୍ଟ୍ରୀୟ ଆୟୋଗ ନୂଆଦିଲ୍ଲୀ ଅଗ୍ରାହ୍ୟ କରିବାସହ ଆବେଦନ ମାମଲାକୁ ଖାରଜ କରିଥିଲେ । ଆଜି ବୌଦ୍ଧରେ ଅନୁଷ୍ଠିତ ରାଷ୍ଟ୍ରୀୟ ଖାଉଟି ବିବାଦ ସମାଧାନ ଶିବିରରେ ଅଧ୍ୟକ୍ଷ ହିମାଂଶୁ ଭୂଷଣ ନାୟକ ଓ ସଦସ୍ୟ ପ୍ରଦିପ କୁମାର ନାୟକଙ୍କ ଉପସ୍ଥିତିରେ ୩୦ ହଜାର ଟଙ୍କାର ଡିଡି ସାମ୍ବାଦିକ ଶ୍ରୀ ସାମଲଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରରେ ବରିଷ୍ଠ ଆଇନଜୀବୀ ଓମପ୍ରକାଶ ମିଶ୍ର, ଏସ.କେ ମହାପାତ୍ର ଓ ପ୍ରଦେଶୀ ବେହେରା ମାମଲା ପରିଚାଳନା କରିଥିବାବେଳେ ରାଜ୍ୟସ୍ତରରେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଭୁ ପ୍ରସନ୍ନ ବେହେରା ଓ ଐଶ୍ୱର୍ଯ୍ୟା ସ୍ୱାଇଁ ମାମଲା ପରିଚାଳନା କରିଥିଲେ । ଏହି ମାମଲାର ନିର୍ଦ୍ଦେଶ ଅପମିଶ୍ରଣ ପେଟ୍ରୋଲ ଓ ଅନିୟମିତତା କରୁଥିବା ପେଟ୍ରୋଲ ପଂପ୍ ମାଲିକମାନଙ୍କ ପାଇଁ ଏକ ଶିକ୍ଷା ଏବଂ ଖାଉଟି କମିଶନଙ୍କ ଉପରେ ଭରସାକରି ନିଜ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଏକ ଉଦାହରଣ ।