ସଡ଼କ ଦୁର୍ଘଟଣା ରେ ବିଂଝାରପୁର ର ପୂର୍ବତନ ବିଧାୟକ ଅର୍ଜୁନ ଦାସ ଙ୍କ ପରଲୋକ। ସେ ପୂର୍ବତନ ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ। ଅର୍ଜୁନ ବାଇକରେ ଭୁବନେଶ୍ୱର ଯାଉଥିବା ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ବ୍ରିଜ ଉପରେ ସେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ତାଙ୍କ ଉପରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଅର୍ଜୁନ ଚରଣ ଦାସଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତି ଗୁରୁତର ହୋଇଛନ୍ତି। ଅନନ୍ତଙ୍କୁ କଟକ ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।
ବିଆରଏସ୍ ପକ୍ଷରୁ ଭୁବନେଶ୍ବରରେ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବାକୁ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ଜଣେ ସହଯୋଗୀ ଅନନ୍ତ ମହାନ୍ତିଙ୍କ ସହିତ ଯାଉଥିଲେ। ଯାଜପୁର ସଦର ପୁଲିସ ବାଲିବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ଫେରାର ଅଛି। ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ।
ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍ ଯାଇ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍କ, ସେମାନଙ୍କର ପୁଅ ଶିଶିର ଗମାଙ୍ଗ ପ୍ରମୁଖ ସହିତ ସାମିଲ ହୋଇଥିଲେ।ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ, ଯାଜପୁର ବିଧାୟକଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ, ପୋୖର ଉପାଧକ୍ଷ ସନ୍ତୋଷ ମଲ୍ଲିକ,ପୁର୍ବତନ ବିଂଝାରପୁର ବ୍ଳକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲଙ୍କ ସମେତ ବିଭିନ୍ନ ବ୍ୟକ୍ତି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।