ନବରଙ୍ଗପୁର: ୨୪.୦୧ : (ବେଣୁ ଗୋପାଳ ରାଓ)ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ ଗିରଫ କରି ବଡ ସଫଳତା ହାସଲ କରିଛି ନବରଙ୍ଗପୁର ପୋଲିସ। ଦୁଇ ମାଓବାଦୀ ହେଲେ ପୂଜା ମାଣ୍ଡଭି ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ। ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳା ମିଲିସିୟା ବୋଲି ଜଣାପଡ଼ିଛି। ଏନେଇ ପ୍ରେସ୍ମିଟରେ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ରାଇଘର ଥାନା ହାତୀଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ସିଆରପିଏଫ ଏସଓଜି ଓ ଡିଭିଏଫର ମିଳିତ କମ୍ଵିଂ ଅପରେସନ ବେଳେ ଦୁଇ ମାଓବାଦୀ ଧରାପଡ଼ିଛନ୍ତି। ନୂଆପଡ଼ା ଡିଭିଜନର ଦୁଇ ମାଓବାଦୀ ପୂଜା ମାଣ୍ଡଭି ଓ ମିଲିସିଆ ସୁମୁଦ୍ର ବାଘଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ୱାକ ଭାବେ କାର୍ଯ୍ୟରତ ଥିଲେ। ଉଭୟଙ୍କ ନାଁରେ ରାଇଘର ଥାନାରେ ମାମଲା ରୁଜୁ ହୋଇଛି।
ଛତିଶଗଡ଼ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିଙ୍କ ଘର ହୋଇଥିବା ବେଳେ ଓଡ଼ିଶାର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘଙ୍କ ଘର। ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ଅଛନ୍ତି । ନୂଆପଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାଇରିଂ ଘଟଣାରେ ଜଡିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ମରା କାମରେ ଜଡିତ ଥିବା ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ଡିଆଇଜି । ପୂଜା ମାଣ୍ଡଭି ଛତିଶଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କେଉଁ ସବୁ ଘଟଣାରେ ଜଡିତ ଅଛନ୍ତି ସେନେଇ ତଦନ୍ତ ପରେ ଅଧିକ ସୁଚନା ମିଳିବ ବୋଲି କହିଛନ୍ତି ଡିଆଇଯି।