ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲା ସଇଁତଲା ବ୍ଲକର ଡୁଙ୍ଗୁରିପାଲି ଗ୍ରାମର ସୋଲାର ପ୍ଲାଣ୍ଟ ସ୍ଥାପନକୁ ବିରୋଧ କରିଛି ଜିଲା କନ୍ଧ ସମାଜ ଯୁବ ସଂଗଠନ ।ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ରାସ୍ତାର କୋଦୋଭଟା ସ୍ଥିତ ପଥପ୍ରାନ୍ତ କେନ୍ଦ୍ର ଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୋଲାର ପ୍ଲାଣ୍ଟ ସ୍ଥାପନ କୁ ବିରୋଧ କରାଯାଇଛି ।ସଇଁତଲା ବ୍ଲକର ଡୁଙ୍ଗୁରିପାଲି ଠାରେ ଏକ ବେସରକାରୀ କମ୍ପାନୀ ଜୋର ଜବରଦସ୍ତ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି ।ଡୁଙ୍ଗୁରିପାଲି ପଞ୍ଚାୟତବାସୀ ଙ୍କ ଅନିଚ୍ଛା ଏବଂ ବିରୋଧ ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ତଥା ଜନପ୍ରତିନିଧି ମାନଙ୍କ ସହାୟତା ରେ ଆଦିବାସୀ ଙ୍କ ଉପରେ ଜୁଳୁମ କରାଯାଉଛି ।
ଏହି ପ୍ଲାଣ୍ଟ ସ୍ଥାପନ ହେଲେ ଅଞ୍ଚଳବାସୀ ଙ୍କ ସାମାନ୍ୟ ଲାଭ ମଧ୍ୟ ହେବ ନାହିଁ ।ବରଂ ଆଦିବାସୀ ଙ୍କ ଜମି ଚାଲିଯିବ ।ଜିବନ ଜୀବିକା ପ୍ରଭାବିତ ହେବ ।ଗୋଚର ଜମି ନଷ୍ଟ ହେବ ।ସୋଲାର ପ୍ଲାଣ୍ଟ ସ୍ଥାପନ ପରେ ତତଲାଗଡ଼ର ଉତ୍ତାପ ଅହେତୁକ ବୃଦ୍ଧି ପାଇବ ।ଅଂଚଳ ବାସୀ ହଇରାଣ ହେବେ ।ତୁରନ୍ତ ଏହି ପ୍ଲାଣ୍ଟ ର ଆଗୁଆ କାର୍ଯ୍ୟ କୁ କମ୍ପାନି ବନ୍ଦ କରୁ ନଚେତ ୧୫ ଦିନ ମଧ୍ୟରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ର ସଭାପତି ସୁରେଶ ଭୋଇ,ସଇଁତଲା ସମ୍ପାଦକ ଖୁସିରାମ ଜାନୀ,ନାରୀନେତ୍ରୀ କିରଣ ଭୋଇ,ଡୁଙ୍ଗୁରିପାଲି ଗ୍ରାମର ଯୌତୁକ ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରଶାସନ କୁ ଚେତାବନୀ ଦେଇଥିଲେ ।