ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭,୪୩୬ କୋଟି ଟଙ୍କା ଜାରି କରିଛନ୍ତି। ଦେଶରେ ବନୀକରଣକୁ ପ୍ରୋତ୍ସାହନ ଏବଂ ସବୁଜ ଲକ୍ଷ୍ୟ ହାସଲ ଦିଗରେ ଏକ ବୃହତ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଗୁରୁବାର ଏହି ଅର୍ଥରାଶି ରାଜ୍ୟଗୁଡ଼ିକୁ ପ୍ରଦାନ କରିଥିଲେ। ଦେଶର ୨୭ଟି ରାଜ୍ୟକୁ ଜାରି ହୋଇଥିବା ଉପରୋକ୍ତ ପରିମାଣର ଅର୍ଥରାଶି ମଧ୍ୟରୁ ଓଡ଼ିଶାକୁ ସର୍ବାଧିକ ୫୯୩୩.୯୮କୋଟି ଟଙ୍କା ଦିଆଯାଇଛି। ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ଏକ ବୈଠକ ଅବସରରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଥିଲେ ଯେ, ବନୀକରଣ ଲାଗି ରାଜ୍ୟ ବଜେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ହସ୍ତାନ୍ତର ହୋଇଥିବା ଅର୍ଥରାଶି ରାଜ୍ୟ ବଜେଟ ଅତିରିକ୍ତ ହେବ।
ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଓଡ଼ିଶା ସମେତ ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ପରେ ଛତିଶଗଡ଼କୁ ଦ୍ୱିତୀୟ ସର୍ବାଧିକ ୫ ହଜାର ୭୯୧.୭ କୋଟି ଟଙ୍କା ମିଳିଛି। ରାଜ୍ୟ ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କ ବୈଠକରେ ଜାଭଡ଼େକର ଏହି ଘୋଷଣା କରିଛନ୍ତି। ଜଙ୍ଗଲ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ ସହ କେନ୍ଦ୍ରର ଏହି ଅତିରିକ୍ତ ଅନୁଦାନ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ଏହି ଅର୍ଥ କର୍ମଚାରୀଙ୍କୁ ଦରମା ପ୍ରଦାନ, ଗସ୍ତ ଖର୍ଚ୍ଚ ବା ଚିକିତ୍ସା ଭତ୍ତା ବାବଦରେ ବିନିଯୋଗ ହୋଇପାରିବନି ବୋଲି ଜାଭଡ଼େକର ସ୍ପଷ୍ଟ କରିଦେଇଛନ୍ତି।