ଭୁବନେଶ୍ୱର:ମିଶନ୍ ପାଟକୁରା ପାଇଁ ଚକ୍ରବ୍ୟୁହ ରଚନା କରୁଛି ବିଜେଡି। ପ୍ରତିପକ୍ଷକୁ ମାତ୍ ଦେବାକୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବା ପାଇଁ ପାଟକୁରାରେ ଜବରଦସ୍ତ ପ୍ରସ୍ତୁତି ଚଳାଇଛି ବିଜେଡି। ପଞ୍ଚାୟତରୁ ବ୍ଳକ୍ ଯାଏ, ଗଡ଼ ଜଗିଛନ୍ତି ଗଣ୍ଡାଗଣ୍ଡା ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା।ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧ।ରଣ କରିବେ ପାଟକୁରା ଭୋଟର । ଭୋଟରଙ୍କୁ ମନେଇବା ପାଇଁ ଏବେ ବିଜେଡି, ବିଜେପିର ହେଭିୱେଟ ନେତାମାନେ ପହଁଚିଛନ୍ତି ମୈଦାନରେ । ବିଜେଡିର ପ୍ରାୟ ତିନି ଡଜନ ବିଧାୟକ ଓ ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପିର କିଛି ଟାଣୁଆ ନେତା ଆଜି କେନ୍ଦ୍ରାପଡାରେ ପହଁଚିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ୍ ଗୁରୁବାର ଦିନ ମଇଦାନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛି ।ନିର୍ବାଚନ ଡେଟ୍ ଯେତିକି ପାଖଉଛି ବୟାନବାଜି ସେତିକି ସାର୍ପ ହେଉଛି । ଗତକାଲି ନବୀନ ନିବାସରେ ବିଜେଡି ସୁପ୍ରିମୋ ଦଳର କିଛି ସ୍ଥାନୀୟ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ତୁରନ୍ତ ଏହି ଖବର ଶୁଣି ଏହାକୁ ବିଜେଡି କୋର୍ଟକୁ ଟର୍ଣ୍ଣ କରିଦେଇ ବିଜୟ ମହାପାତ୍ର କହିଥିଲେ ବିଜେଡିର ୯୦ ପ୍ରତିଶତ ତଳସ୍ତରର କର୍ମି ଅସନ୍ତୁଷ୍ଟ ।
ଡେରାବିଶ୍ ବ୍ଲକ୍ର ୨୬ଟି ପଞ୍ଚାୟତ ମଧ୍ୟରୁ ୧୪ଟି ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି ଦଳର ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା। ଅନ୍ୟ ୧୨ଟି ପଞ୍ଚାୟତ କଥା ବୁଝୁଛନ୍ତି ମନ୍ତ୍ରୀ ଅରୁଣ ସାହୁ। ବରିଷ୍ଠ ବିଧାୟକ ପ୍ରତାପ ଦେବ୍ ବ୍ଲକ୍ ସଂଯୋଜକ ଦାୟିତ୍ୱରେ ରହିଛନ୍ତି। ଏମାନଙ୍କ ବାଦ୍ ମନ୍ତ୍ରୀ ସମୀର ଦାଶ, ରଘୁନାନ୍ଦନ ଦାସଙ୍କୁ ବି ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି। ତା’ଛଡ଼ା କିଛି ବିଧାୟକ ଓ ନେତାଙ୍କୁ ମଧ୍ୟ ଦୁଇ ଦୁଇଟି ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି।ସେହିଭଳି ଗରଦପୁର ବ୍ଲକ୍ ଦାୟିତ୍ୱରେ ରହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ବ୍ଳକ୍ର ୧୮ ପଞ୍ଚାୟତ ମଧ୍ୟରୁ ମନ୍ତ୍ରୀ ସୁଶାନ୍ତ ସିଂ, କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ମିଳିଛି। ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ୟୋମକେଶ ରାୟ ଓ ଅନ୍ୟ ନେତାମାନଙ୍କୁ ବି ଦଳ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ନ୍ୟସ୍ତ କରିଛି।ମାର୍ଶାଘାଇ ବ୍ଳକର ୭ଟି ପଞ୍ଚାୟତକୁ ସ୍ୱତନ୍ତ୍ର ଫୋକସ୍ କରିଛି ବିଜେଡି। ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଦୀପ ପାଣିଗ୍ରାହୀଙ୍କ କାନ୍ଧରେ ରହିଛି ଏହି ବ୍ଳକ୍ର ବୋଝ। ଏମାନଙ୍କ ପରେ ବିଧାୟକ ପ୍ରଶାନ୍ତ ବେହେରା, ସାରଦା ନାୟକ ଓ ଅନ୍ୟ କିଛି ପୁରୁଖା ନେତାଙ୍କ ମଧ୍ୟରେ ବଣ୍ଟାଯାଇଛି ପଞ୍ଚାୟତ ଓ୍ୱାରୀ ଦାୟିତ୍ୱ।
ସେପଟେ ବିଜେଡିକୁ ଚେକ୍ ଦେବାକୁ ବିଜେପି ମଧ୍ୟ ନିଜସ୍ୱ ରଣନୀତି ସହ ଆଗକୁ ବଢୁଛି। ବରିଷ୍ଠ ନେତା କେ.ଭି. ସିଂହଦେଓ, ମନମୋହନ ସାମଲ ଓ ଭୃଗୁ ବକ୍ସିପାତ୍ରଙ୍କୁ ଦଳ ପାଟକୁରାର ଦାୟିତ୍ୱ ଦେଇଛି। ଆଉ କିଛି ବିଧାୟକ ଓ ନେତା ମଧ୍ୟ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ରହି ବିଜୟଙ୍କ ପାଇଁ ପ୍ରଚାର କରିବେ। ବିଜେଡି-ବିଜେପି ଏହି ହାଇଭୋଲଟେଜ୍ ଟକ୍କର ଭିତରେ କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ୍। ତଥାପି ଟିମ୍ ଗଠନ କରି ଓ ବିଧାୟକଙ୍କୁ ନେଇ ଦଳ କ୍ୟାମ୍ପେନ୍ କରିବାକୁ ଷ୍ଟ୍ରାଟେଜି କରିଛି।କେନ୍ଦ୍ରପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗରଦପୁର, ଡେରାବିଶ ଓ ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ। ଦଳପକ୍ଷରୁ ପ୍ରତି ବ୍ଲକ ଲାଗି ଏକାଧିକ ଟାଣୁଆ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ମାର୍ଶାଘାଇ ବ୍ଲକ୍ ଲାଗି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦାୟିତ୍ୱ ଦିଆଯାଇଥିିବା ବେଳେ ଡେରାବିଶ ବ୍ଲକ ମନ୍ତ୍ରୀ ଅରୁଣ ସାହୁ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗରଦପୁର ବ୍ଲକ ଦାୟିତ୍ୱ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଦଳ ନ୍ୟସ୍ତ କରିଛି। ଦଳର ଏହି ଛାମୁଆ ନେତାମାନେ ବ୍ଲକ ଅଧିନରେ ଥିବା ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଅନ୍ୟ ନେତାଙ୍କୁ ନେଇ ଗଠିତ ଟିମ୍ର ନେତୃତ୍ୱ ନେବେ।