ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା ।ଭାରତର ବୀର କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବିଳମ୍ବରେ ହେଉ ପଛେ ନିଜର ଜନ୍ମମାଟିକୁ ଫେରି ଆସିଛନ୍ତି। ପାକିସ୍ତାନ ପକ୍ଷରୁ ପ୍ରଥମେ ତାଙ୍କୁ ଅପରାହ୍ଣ ୪ଟାରେ ପ୍ରତ୍ୟାର୍ପଣ କରାଯିବ ବୋଲି କହାଯାଇଥିଲା । ତଦନୁଯାୟୀ ଅଟାରିରେ ସେ ୪ଟାରେ ପହଞ୍ଚିଥିଲେ। ମାତ୍ର ପରେ ଏହି ପ୍ରକ୍ରିୟା ଲାଗି ପ୍ରାୟ ୩ରୁ ୪ ଘଣ୍ଟା ବିଳମ୍ବ ହୋଇଥିଲା। ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିବା ପୂର୍ବରୁ ନିଜର ପ୍ରଚାର ଲାଗି ଭିଡିଓ ପ୍ରସ୍ତୁତ କରୁଥିଲା ବୋଲି ଜଣାପଡ଼ିଛି। ସେଥିପାଇଁ ହସ୍ତାନ୍ତର କରିବାରେ ବିଳମ୍ବ ହୋଇଥିଲା। ଏହି ଭିଡିଓରେ ତାଙ୍କୁ ପାକିସ୍ତାନର ପ୍ରଶଂସା କରିବାକୁ କୁହାଯାଇଥିବା ସୂଚନା ମିଳିଛି । ଅଟାରିର ଲାଗିଥିଲା ଅସମ୍ଭବ ଭିଡ଼। ଏ ଭିଡ଼ ଭିତରେ ଯୋଡ଼ି ହୋଇ ରହିଥିଲା ଦେଶଭକ୍ତି। ଦେଶର ବୀର ସନ୍ତାନକୁ ସ୍ବାଗତ କରିବା ଲାଗିରହିଥିଲା ଏହି ଭିଡ଼।
କୂଟନୀତିର ଚକ୍ରବ୍ୟୁହରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନା ଖାନ ଗତକାଲି ଘୋଷଣା କରିଥିଲେ ଯେ ପାକିସ୍ତାନ ସେନା କବଜା କରିରଖିଥିବା ଭାରତର ୱିଙ୍ଗ କମାଣ୍ଡରଙ୍କୁ ଆଜି ଛଡ଼ାଯିବ । କିନ୍ତୁ ଏହା ପୂର୍ବରୁ ସକାଳେ ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ପାକିସ୍ତାନ ସରକାରଙ୍କ ଘୋଷଣାକୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ପାକ୍ କୋର୍ଟ ତାକୁ ଖାରଜ କରିଦେଇଥିଲେ।ଦିନ ୪ଟା ୩୫ ୱାଘା ନିକଟରେ ପହଞ୍ଚିଥିଲା ପାକିସ୍ତାନୀ ସେନାର କନଭୟ । ସାଙ୍ଗରେ ଆସିଥିଲେ ଅଭିନନ୍ଦନ। ସେଠାରୁ ଅଟାରି ଗେଟ୍। ଅଭିନନ୍ଦନଙ୍କୁ ଆସିବାକୁ ନେଇ ଆଜି ୱାଘାରେ ଭାରତର ବିଟିଂ ଦ ରିଟ୍ରିଟକୁ ବନ୍ଦ କରାଯାଇଥିଲା।ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା।