ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ କେନ୍ଦ୍ର ସଡ଼କ ପରିବହନ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରି ୪ଥାକିଆ ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କରିଛନ୍ତି।ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ। ରାଜ୍ୟରେ ଶିଳ୍ପ ହେଲେ ବେରୋଜଗାରୀ କମିବ, ଅଧିକ ପିଲା ନିଯୁକ୍ତି ପାଇବେ।
କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କର ଖଣି ଇସ୍ପାତ ତଥା ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ,ଢେଙ୍କାନାଳ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ,ଏସପି ସନ୍ତୋଷ ନାୟକ, ବିଜେପି ଦଳ ତରଫରୁ ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ ପ୍ରସନ ପଟ୍ଟନାୟକ, ସତୃଘ୍ନ ଜେନା, ମାତୃପ୍ରସାଦ ନନ୍ଦ, ପବିତ୍ର କୁମାର ବିଶ୍ୱାଳ, ସନ୍ଦିପ ପଟ୍ଟନାୟକଙ୍କ ସମେତ ଅନ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ସେହିପରି ପାରାଦୀପ ବନ୍ଦର ପାଇଁ ତିନିଟି ବର୍ଥର ଯାନ୍ତ୍ରିକରଣ, କୋଇଲା ଆମଦାନୀର ସୁପରିଚାଳନା ପାଇଁ ସ୍ବତନ୍ତ୍ର ବର୍ଥ ଏବଂ ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପଲିପ୍ରପଲିନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ନୀତିନ ଗଡକରୀ । ଆଗାମୀ ଦିନରେ ପାରାଦୀପ ଦେଶର ଏକ ନମ୍ବର ବନ୍ଦର ହେବ ବୋଲି କହିଛନ୍ତି ଗଡ଼କରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପାରାଦୀପ ବିଧାୟକ ଦାମୋଦର ରାଉତ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।