ଭୁବନେଶ୍ୱର: କରୋନା ଭୟ ଭିତରେ ଜୀବନ ଯାତ୍ରାକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କାଲିଠୁ ରାଜ୍ୟରେ ଫୁଲ ଫେଜ୍ରେ ଯାତ୍ରୀ ପରିବହନ ସେବା ଆରମ୍ଭ ହେବ। ଜାରି ହୋଇଥିବା ନୂଆ ଗାଇଡ୍ଲାଇନ୍ ଭିତ୍ତିରେ ଘରୋଇ ବସ୍ ସହ ଅଟୋ ଓ ଟ୍ୟାକ୍ସି ସେବାକୁ ଅନୁମତି ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି। ତେବେ ଘରୋଇ ବସ୍ ମାଲିକ ସଂଘ କହିଛି, ଏଯାଏଁ ରାଜ୍ୟ ସରକାର ତାଙ୍କ ସହ ଆଲୋଚନା କରିନାହାଁନ୍ତି କି ଆସନ୍ତାକାଲି ବସ୍ ଚଳାଇବା ବି ସମ୍ଭବ ନୁହେଁ।ଆଜି ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବେ।
ଏହା ପରେ ଲକ୍ଷଣ ନ ଥିବା ପ୍ରବାସ ଫେରନ୍ତାମାନେ ଆହୁରି ୭ ଦିନ ହୋମ୍ କ୍ବାରେଣ୍ଟିନ୍ରେ ରହିବେ। କିନ୍ତୁ, କାହାଠରୁ ଯଦି କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଥିବ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେମାନଙ୍କର କ୍ବାରେଣ୍ଟିନ୍ ଅବଧି ବଢ଼ାଇ ପାରିବେ।ଯଦି ପ୍ରବାସୀ ଫେରନ୍ତାମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍/ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ।ଅନ୍ୟପକ୍ଷରେ ସହରାଞ୍ଚଳକୁ ଫେରୁଥିବା ପ୍ରବାସୀ ଅନ୍ୟୂନ ୧୪ ଦିନ ସଙ୍ଗରୋଧରେ ରହିବାକୁ ବାଧ୍ୟ । ସେମାନେ ଚାହିଁଲେ ହୋଟେଲରେ ପେଡ଼୍ କ୍ବାରେଣ୍ଟାଇନରେ ରହିପାରିବେ ଏବଂ ଏହାର ଖର୍ଚ ନିଜେ ବହନ କରିବେ । ମାତ୍ର ଯେଉଁମାନେ ରାଜ୍ୟ ବାହାରୁ ଓଡ଼ିଶାର ସହରାଞ୍ଚଳକୁ ବିଭିନ୍ନ କାର୍ଯ୍ୟରେ ୭୨ ଘଣ୍ଟାରୁ କମ୍ ଅର୍ଥାତ ୩ ଦିନ ରୁ କମ ସମୟ ପାଇଁ ଆସୁଛନ୍ତି ସେମାନଙ୍କୁ ସଙ୍ଗରୋଧରେ ରହିବାର ଆବଶ୍ୟକତା ନାହିଁ । କିନ୍ତୁ ଏହାଠାରୁ ଅଧିକ ସମୟ ରହିଲେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଡ଼ିବ ।