ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି। ଏହାସହ କହିଛନ୍ତି ସାଢେ ୪ ବର୍ଷ ଭିତରେ ବିକାଶର ନୂଆ ଧାରା ଜାରି ରହିଛି।କେନ୍ଦ୍ର ସରକାର ଦେଶର ବିକାଶ ଲାଗି ସଂକଳ୍ପବଦ୍ଧ। ଗତ ସାଢ଼େ ୪ ବର୍ଷ ଧରି ଏହି ସଂକଳ୍ପର ରୂପାୟନ ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ତି। ଏଥି ସହ ପୂର୍ବ ଓ ଉତ୍ତରପୂର୍ବ ଭାରତର ବିକାଶକୁ କେନ୍ଦ୍ର ସରକାର ଖୁବ୍ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ନୂଆ ଭାରତର ନିର୍ମାଣ ଧାରା ଅଗ୍ରଗତି କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାର ପୁଲିସ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ପ୍ରଧାନମନ୍ତ୍ରୀ ଏହାପ୍ରକାଶକରିଥିଲେ।ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାରେ ୪୫ଶହ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।
ଏହାରି ଭିତରେ ରହିଛି ନୂଆ ସଡ଼କପଥ, ରେଳପଥ, ଏଲପିଜି ପାଇପ୍ ଲାଇନ୍, ନୂଆ ପାସେଂଜର ଟ୍ରେନ ଏବଂ ଏକ ଲଜିଷ୍ଟିକ୍ସ ପାର୍କ । ତିନିଟି ରାଜପଥ ପ୍ରକଳ୍ପର ଭୂମି ପୂଜା କରିଛନ୍ତି । ରେମୁଲି-କୋଇଡା, କୋଇଡା- ରାଜାମୁଣ୍ଡା ଓ ସିଙ୍ଗରା- ବିଂଜବାହାଳ ୪ ଲେନ୍ ବିଶିଷ୍ଟ ରାଜପଥର ଶିଳାନ୍ୟାସ କରିଛନ୍ତି ମୋଦି । ଏହି ରାଜପଥ ପାଇଁ ୩୩୧୮ କୋଟି ଟଙ୍କାର ପୁଂଜି ନିବେଶ ହୋଇଛି ।
