ଭୁବନେଶ୍ବର:ଗତ :୨୦୧୯ ମସିହାର ପ୍ରଳୟଙ୍କରୀ ଫନି ବାତ୍ୟା ପରଦିନ ରାସ୍ତାରେ ଯାଉଥିଲା ବେଳେ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟ ତାଙ୍କ ଉପରେ ପଡିଯିବା ଫଳରେ ଟାଙ୍ଗି ଚୌଦ୍ୱାର ବ୍ଲକ ସଫା ଗ୍ରାମର ସମାଜସେବୀ ଡମ୍ବରୁଧର ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିଲା । ୨୩ତାରିଖ ଥିଲା ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ । ଏବେ କରୋନା ମହାମାରୀ ପାଇଁ ଲକ ଡାଉନ ଚାଲିଥିଲା ବେଳେ ପରିବାର ଲୋକମାନେ ତାଙ୍କ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ପରିବାର ପକ୍ଷରୁ ବ୍ଳକର ବିଭିନ୍ନ ଗ୍ରାମର ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।
ଏହା ସହିତ ତାଙ୍କ ପତ୍ନୀ ସ୍ୱାମୀଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଟଙ୍କା କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗିବା ସହିତ ସେମାନେ ଉପକୃତ ହେବେ ବୋଲି ତାଙ୍କ ପତ୍ନୀ ତଥା ଅଙ୍ଗନବାଡି କର୍ମୀ ପ୍ରଭାସିନୀ ମହାନ୍ତି କହିଛନ୍ତି । ସ୍ୱାମୀଙ୍କ ଶ୍ରାଦ୍ଧ ଦିବସରେ ପ୍ରଭାସିନୀଙ୍କ ଏହି ମହତ କାର୍ଯ୍ୟକୁ ଗ୍ରାମବାସୀ ବେଶ ପ୍ରଶଂସା କରିଥିଲାବେଳେ ସମାଜସେବା କରୁଥିବା ଦିବଂଗତ ଡମ୍ବରୁଧରଙ୍କ ଆତ୍ମା ଶାନ୍ତି ପାଇବ ବୋଲି ମତ ଦେଇଛନ୍ତି । ବିପଦ ସମୟରେ ଶ୍ରାଦ୍ଧ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରି ସହାୟତାର ହାତ ବଢ଼ାଇ ଏହି ପରିବାର ଉଦାହରଣ ସୃଷ୍ଟି କରିଛନ୍ତି ।