ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ବହୁ ସଂଖ୍ୟକ କୋଭିଡ-୧୯ ଟେଷ୍ଟ ହେବ। କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତି ୧୫ ଦିନରେ କରାଯିବ ସ୍ବାବ୍ ଟେଷ୍ଟ । ରାଜ୍ୟରେ ହଟ୍ ସ୍ପଷ୍ଟ ଦୁଇ ଜିଲ୍ଳା ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ ସବୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ବାବ୍ ଟେଷ୍ଟ କରାଯିବ। ସ୍ବାବ୍ ଟେଷ୍ଟରୁ ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହ ଚିକିତ୍ସା କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ସଂପୃକ୍ତ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ଡ୍ୟୁଟିକୁ ଫେରିବେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଏହାସହ ରାଜ୍ୟରେ ହଟ୍ ସ୍ପଷ୍ଟ ଦୁଇ ଜିଲ୍ଳା ଖୋର୍ଦ୍ଧା ଏବଂ ଭଦ୍ରକ ଜିଲ୍ଳାରେ କାର୍ଯ୍ୟରତ ସବୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସ୍ବାବ୍ ଟେଷ୍ଟ କରାଯିବ
ସେହିଭଳି ଲକ୍ ଡାଉନ ବେଳେ କରୋନା ଯୋଦ୍ଧାର ଭୂମିକା ନିର୍ବାହ କରୁଥିବା ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଯେଉଁ ୨୨ ଜିଲ୍ଲାରେ ଏଯାଏ କରୋନା ଦେଖାଦେଇନି ସେଠି ବି ପ୍ରତି ୧୦ ହଜାରରେ ଜଣଙ୍କ ସ୍ବାବ୍ ଟେଷ୍ଟ କରାଯିବ ।ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଆବଶ୍ୟକ। ଇତିମଧ୍ୟରେ ୬୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବର୍ତ୍ତମାନ ପରୀକ୍ଷଣ ସୁବିଧା ବୃଦ୍ଧି ପାଇଛି। ଏବେ ୧୨ଶହରୁ ୧୩ଶହ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ସମସ୍ତ ଜିଲାରେ ଅଧିକ ମାତ୍ରାରେ ପରୀକ୍ଷଣ କରାଯିବ।ଏକାଥରେ ଏକାଧିକ ନମୁନା ପରୀକ୍ଷା କରାଯିବ। ଆଗାମୀ ଦିନରେ ବ୍ୟାପକ ଧରଣର ଗୋଷ୍ଠୀଗତ ଭାବେ ପୁଲ୍ ଟେଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହାକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହାଛଡ଼ା ଏବେ ବୁର୍ଲା ମେଡିକାଲରେ ଗୋଟିଏ ଟେଷ୍ଟ କିଟ୍ ରହିଛି। ଆଗାମୀ ଦିନରେ ଏହାର କ୍ଷମତାକୁ ବଢ଼ାଇବାକୁ କୁହାଯାଇଛି।କରୋନାର ମୁକାବିଲା ନେଇ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ବିଶେଷକରି ବସ୍ତିରେ ରହୁଥିବା ଲୋକ, ସ୍ବାସ୍ଥ୍ୟ କର୍ମଚାରୀ, ଗ୍ରୋସରୀ ଦୋକାନୀଙ୍କ ଭଳି ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାଦ୍ୱାରା ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ସ୍ପଷ୍ଟ ହେବ। ଆଗାମୀ ଦିନରେ ଯଦି ପଜିଟିଭ୍ ମାମଲା ନ ବଢ଼େ ତେବେ ଏହା ନିୟନ୍ତ୍ରଣରେ ରହିଥିବେ। ଯେତେ ଶିଘ୍ର ନିରୂପଣ କରାଯିବ ସେତେ ଶିଘ୍ର ଆମେ ଏଥିରୁ ନିଜକୁ ରକ୍ଷା ପାଇପାରିବା। ଓଡ଼ିଶା ସୁବିଧାଜନକ ସ୍ଥିତିରେ ରହିଛି। ହେଲେ ଏହା ଭାବି ଲକ୍ଡାଉନ୍ ନିୟମ ଉଲ୍ଲଂଘନ କରିବା ଉଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର ତଥା ଅତିରକ୍ତ ଶାସନ ସଚିବ ସୁରେଶ ମହାପାତ୍ର ପରାମର୍ଶ ଦେଇଛନ୍ତି।