ପୁରୀ: ୧୭ ତାରିଖ ଦିନ ପୁରୀ ଡିଏନଆର ହୋଟେଲ ପଛରେ ଥିବା ରେଲୱେ କଲୋନୀରେ ସି-୭୫ ନମ୍ବର କ୍ଵାଟରରେ ଡାକ୍ତର ଏସ.କେ.ସାହୁ ଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା | ଡାକ୍ତର ସାହୁ ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ଘରେ ନଥିବାବେଳେ କେହି ଦୁର୍ବୁର୍ତ୍ତ ଘରେ ପଶି ସୁଜାତାଙ୍କ ମୁଣ୍ଡକୁ କୌଣସି ଶକ୍ତ ଜିନିଷରେ ପିଟି ହତ୍ୟା କରିଥିଲା |

ଦିନ ପ୍ରାୟ ସାଢେ ଗୋଟାଏ ବେଳକୁ ଡାକ୍ତର ସାହୁ ପୁଅକୁ ନେଇ ଘର ସମ୍ମୁଖରେ ପହଂଚିବା ପରେ କବାଟ ଖୋଲିବା ପାଇଁ ସୁଜାତାଙ୍କୁ କଲ କରିଥିଲେ | କିନ୍ତୁ ସୁଜାତା ଫୋନ ନ ଉଠାଇବାରୁ ପୁଅ ଶୁଭମ ପାଚେରୀ ଡେଇଁ ଯାଇ ଦେଖିଲା ବେଳକୁ ଘରେ ସୁଜାତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ହୋଇ ପଡିଥିଲା | ଏହାପରେ ଡାକ୍ତର ସାହୁ ପୋଲିସକୁ ଖବର ଦେଇଥିଲେ | ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ପ୍ରାରମ୍ଭିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ |ହତ୍ୟା ଘଟଣା ପରଠୁ ହିଁ ଡାକ୍ତର ସାହୁ ଏବଂ ତାଙ୍କ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ରହିଥିବା ସମ୍ପର୍କର ଏହା ପରିଣତି ବୋଲି ଆଲୋଚନା ହେଉଥିଲା | ଏହି ସମ୍ପର୍କକୁ କେନ୍ଦ୍ର କରି ଅତୀତରେ ମଧ୍ୟ ନର୍ସ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା | ପୁରୀ ସମୁଦ୍ର କୁଳ ଥାନାରେ ନର୍ସ ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ ନର୍ସଙ୍କ ସ୍ୱାମୀକୁ ପୋଲିସ ଗିରଫ ମଧ୍ୟ କରିଥିଲା | ହତ୍ୟାକାଣ୍ଡ ପଛରେ ଏହା ହିଁ ମୁଖ୍ୟ କାରଣ ବୋଲି ପୋଲିସ ଅନୁଭବ କରି ଏ ଦିଗରେ ଅଧିକ ତଦନ୍ତ ଚଳାଇଛି | ଡାକ୍ତର ସାହୁଙ୍କ କ୍ଵାଟରକୁ ପୋଲିସ ସିଲ କରି ରଖିଛି | ଘର ଭିତରେ ମଧ୍ୟ ପୋଲିସ ପ୍ରମାଣ ପାଇଁ ଅଧିକ ଯାଞ୍ଚ କରିବା ବୋଲି ଜଣାପଡିଛି