ଭୁବନେଶ୍ୱର:କୋରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଯାଜପୁର ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି । ବ୍ୟାସନଗର ଗ୍ରୀନ୍ ମାର୍କେଟସ୍ଥିତ ପରିବା ବଜାରରେ ଆବଶ୍ୟକ ସ୍ଥାନ ଅଭାବରୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରହି ପାରୁ ନ ଥିଲା। ଫଳରେ ଏଠାରେ କରୋନା ସଂକ୍ରମଣର ଆଶଙ୍କା କରି ସହରର ଏକାଧିକ ବୁଦ୍ଧିଜୀବୀ ଏହି ପରିବା ମାର୍କେଟକୁ ନରସିଂହ ଚୌଧୁରୀ ହାଇସ୍କୁଲ ପଡ଼ିଆ କିମ୍ବା ଗୋଶାଳା ପଡିଆକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। କିନ୍ତୁ ଜିଲା ପ୍ରଶାସନ ପରିବା ବଜାରକୁ ନହକା ଛକଠାରୁ ଚୋର୍ଦ୍ଦା ଛକ ପର୍ଯ୍ୟନ୍ତ ରାସ୍ତା କଡରେ ପରିବା ବିକିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଯାଇଛି।
ସନ୍ଧ୍ୟାରେ ଜିଲାପାଳ ରଞ୍ଜନ କୁମାର ଦାଶଙ୍କ ନେତୃତ୍ୱରେ ଗ୍ରାହକଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ନିମନ୍ତେ ବୃତ୍ତ ଚିହ୍ନ କରାଯାଇଛି। ପରିବା ବିକ୍ରୟ ସମୟରେ ସେହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।ହାଟରେ ରହିଥିବା ସମସ୍ତ ଦୋକାନକୁ ନ ଖୋଲି ପର୍ଯ୍ୟାୟ କ୍ରମରେ ଖୋଲାଗଲେ ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲାପାଳ କହିଛନ୍ତି । ଘରେ ରୁହନ୍ତୁ, ଯେତିକି ଜିନିଷ ଆବଶ୍ୟକ ସେତିକି ଜିନିଷ କିଣିବାକୁ ପରାମର୍ଶ ଦିଆଯାଇଛି । ଆଇନ ଉଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ଚେତାବନି ଦେଇଛନ୍ତି ।