ଭୁବନେଶ୍ବର୨୭/୩: ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ଦୁଇଗୁଣା ବଢ଼ିଚାଲିଛି। ସାମାଜିକ ସଂକ୍ରମଣର ଆଶାଙ୍କା ବଢ଼ିଲାଣି। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କାର୍ଯ୍ୟଜାରି ରହିଥିବା ବେଳେ ସମ୍ପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଏବଂ କର କ୍ଲିନକ ଓପିଡ଼ି ବନ୍ଦ କରିବା ସହ ଡାକ୍ତର ଏବଂ ଷ୍ଟାଫଙ୍କୁ ଆଇସୋଲେସନ ରଖାଯାଇଛି । ବିଧାନସଭା କର୍ମଚାରୀଙ୍କୁ ମଧ୍ୟ କ୍ବାରାଣ୍ଟାଇନରେ ରହିବାକୁ ପରାର୍ମଶ ଦିଆଯାଇଛି।ଜନସାଧାରଣଙ୍କୁ ସଚେତନ କରିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ସେ ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ କଥା ଜନସାଧାରଣଙ୍କୁ କହିଛନ୍ତି।ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ। ଜଣେ କରୋନା ଆକ୍ରାନ୍ତ ମହିଳା ନିଜ ଦାୟିତ୍ୱହୀନତା ପାଇଁ କିପରି ଅପଖ୍ୟାତି ଅର୍ଜନ କରିଛନ୍ତି,ଦକ୍ଷିଣ କୋରିଆର ପେସେଣ୍ଟ ଥାର୍ଟି ୱାନ୍ ନାମରେ ପରିଚିତ ହେଇଛନ୍ତି।
ସେଠାକାର କରୋନା ଆକ୍ରାନ୍ତ ମହିଳା କିଭଳି ସୁପର ସ୍ପ୍ରେଡର ଭାବେ ବିଶ୍ୱବିଦିତ ହୋଇଛନ୍ତି ବାଗଚୀ କହିଥିଲେ। ଜଣଙ୍କଠାରୁ ସାଧାରଣତଃ ୨.୨୪ରୁ ୩.୫୮ଜଣଙ୍କୁ ସଂକ୍ରମଣ ସମ୍ଭାବନା ଥାଏ କିନ୍ତୁ ଦକ୍ଷିଣ କୋରିଆର ସମ୍ପୃକ୍ତ ମହିଳା ୧୧୬୦ ଜଣଙ୍କୁ ସଂକ୍ରମିତ କରିଥିଲେ ଯେଉଁଥିପାଇଁ ତାଙ୍କୁ ପେସେଣ୍ଟ ଥାର୍ଟି ୱାନ୍ ବା ସୁପର ସ୍ପ୍ରେଡରର ଅପଖ୍ୟାତି ମିଳିଛି। ତାଙ୍କ ଭଳି ନହୋଇ ଲୋକଙ୍କୁ ଘରେ ରହିବାକୁ ସେ କହିଛନ୍ତି। ୧୦୪ର ନିର୍ଦ୍ଦେଶ ବିନା ଘରୁ ନାବାହାରିବାକୁ ପରାମର୍ଶ ଦେଇଛନ୍ତି।ଏପରିକି ୨୧ ଦିନର ଲକଡାଉନ୍ ସମୟରେ କେହି ଯେପରି ସମସ୍ୟାରେ ନ ପଡନ୍ତି ସେଥିପାଇଁ ଆଗାମୀ ୩ ମାସ ପାଇଁ ୨୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ଏସବୁ ଭିତରେ କରୋନା ମୁକାବିଲା ପାଇଁ ୧୯ ଜଣ ସଚିବଙ୍କ ନେତୃତ୍ୱରେ କେଉଁ ବିଭାଗ କ’ଣ କାମ କରୁଛି ତାହାର ପୂରା ତଥ୍ୟ ରାଜ୍ୟବାସୀଙ୍କ ନିକଟରେ ରଖିଛନ୍ତି ସୁବ୍ରତ ବାଗଚୀ ।ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ୩ ଦିଗ ଉପରେ ଗୁରୁତ୍ୱ ଦେଇ କାମ ଆରମ୍ଭ କରିଛି । ପ୍ରଥମେ ୬୭୯୮ଟି ପଞ୍ଚାୟତରେ ଥିବା ସଭ୍ୟ ମାନଙ୍କୁ ସଚେତନତା ପାଇଁ ସଂଶ୍ଳିଷ୍ଟ କରାଯାଇଛି । ପଞ୍ଚାୟତ ଗୁଡିକରେ ୭୨୭୬ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଫେରିଆସିଥିବା ଗ୍ରାମବାସୀଙ୍କର ସ୍ୱାସ୍ଥ୍ୟ ଓ କିଭଳି ସେମାନେ ସଙ୍ଗରୋଧ ରହିବେ ତାହା ଉପରେ ଏହି ବିଭାଗ କାର୍ଯ୍ୟ କରିବ ।ରାଜ୍ୟରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଛି ସରକାରଙ୍କ ଚିନ୍ତା ।
ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ୭ଟାରେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। କର କ୍ଲିନିକ୍ ବ୍ୟତୀତ ମାର୍ଚ୍ଚ ୧୬ ତାରିଖରେ ବିଧାନସଭା ଡିସପେନସରୀକୁ ଆସିଥିଲେ।