ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ବ୍ୟାସନଗର ପୌରପରିଷଦରେ ଡ୍ରେନ୍, ରାସ୍ତା ସଫେଇ କାମ ଅତି ନିମ୍ନମାନର ହେଉଥିବାବେଳେ କାର୍ଯ୍ୟାଳୟରୁ ମୋଟାଅଙ୍କର ବିଲ୍ ଜାଗୃତି ଠିକାଦାରଙ୍କ ନାମରେ ପାସ୍ ହେଉଛି । ଜାଗୃତି ଠିକା ସଂସ୍ଥା ପୌରପରିଷଦର ସଫେଇ କାର୍ଯ୍ୟ କରୁଥିବା ବେଳେ ସେ ଯେପରି କାମ କଲେ ମଧ୍ୟ ତା’ର ଦୋଷ ନାହିଁ । ଯେପରି ପୌରପରିଷଦର କୋଠପୁଅ ଏହି ଜାଗୃତି ଠିକାସଂସ୍ଥା । ବ୍ରାହ୍ଣଣ ଛୁଆ ବିଲେଇ ମାରିଲେ ଦୋଷ ନାହିଁ ସଦୃଶ ପୌରାଳରେ ସଫେଇ କାର୍ଯ୍ୟ ଯେପରି ହେଉ ତା’ର ଦୋଷ ନାହିଁ । ଡ୍ରେନ୍ ଗୁଡ଼ିକ ଠିକ୍ ସମୟରେ ସଫା ନ ହୋଇ ପାରୁଥିବାରୁ ପୋତାପଡ଼ିଲାଣି କହିଲେ ଆତ୍ୟୁକ୍ତି ହେବ ନାହିଁ । ମୁଣ୍ଡମାଳ ଗ୍ରାମ କେଳାସାହି ସାମ୍ନାରେ ଥିବା ରାସ୍ତା କଡ଼ ଡ୍ରେନ୍ରୁ ଅଳିଆ ବାହାର କରାଯାଇ ସପ୍ତାହ ସପ୍ତାହ ଧରି ଏହି ଅଳିଆ ଉଠା ଯାଉନାହିଁ । ଡ୍ରେନ୍ରୁ ବାହାରୁ ଥିବା ଅଳିଆ ଆବର୍ଜନା ବର୍ଷା ପାଣିରେ ଧୋଇ ହୋଇ ପୁଣି ଡ୍ରେନ୍ରେ ପଶୁଛି ।
ଯାହା କିଛି ଅଳିଆ ରାସ୍ତା ଉପରେ ପଡ଼ି ପଡ଼ି ଶୁଖି ଖରା ଓ ପବନରେ ଉଡ଼ି ପୁଣି ସେହି ଡ୍ରେନ୍ରେ ପଶୁଛି । ତେଣୁ ଡ୍ରେନ୍ଟି ସଫା କରିବା ଯାହା ନ କରିବା ସେଇଆ । ଡ୍ରେନ୍ ସଫା କରିବା ନାମରେ କେବଳ ପୌରାଳ ଅଧିବାସୀମାନଙ୍କୁ ଜାଗୃତି ଠିକା ସଂସ୍ଥା ଠକି ଚାଲିଛି କହିଲେ ଆତ୍ୟୁକ୍ତି ହେବ ନାହିଁ । ଅଳିଆ ଗଦା ଯାଇଥିବା ସ୍ଥାନର ଅଧିବାସୀ ମନୋଜ କୁମାର ଜେନା କହନ୍ତି ସପ୍ତାହକ ଉପରେ ଡ୍ରେନ୍ରୁ ଅଳିଆ ବାହାର କରାଗଲାଣି ହେଲେ ବର୍ତ୍ତମାନ ସୁଦ୍ଧା ଅଳିଆ ସେ ସ୍ଥାନରୁ ଉଠା ଯାଉନାହିଁ । ସେଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ଆମେ ଘରେ ରହିପାରୁନାହୁଁ । ଆମ୍ଭେ ଦଳିତ ସଂପ୍ରଦାୟର ଲୋକ ତେଣୁ ଆମ କଥା କିଏ ଶୁଣୁ ନାହାନ୍ତି ।
ବର୍ତ୍ତମାନ ପୌରପରିଷଦରେ କାର୍ଯ୍ୟଭାର ପ୍ରଶାସନ କ୍ଷମତାରେ ଥିବାରୁ ପୌରପରିଷଦ ଅଧିକାରୀମାନେ ଆମ ବସ୍ତିକୁ ତଦାରଖ କରିବା ପାଇଁ ଆସୁନାହାନ୍ତି । ସରକାରଙ୍କ ସ୍ୱଚ୍ଛତା ଉପରେ ଏତେ ନିୟମ କାନୁନ୍ ଥିଲେ ମଧ୍ୟ ବ୍ୟାସନଗର ପୌରପରିଷଦ ଉପରେ ଏହା ଲାଗୁ ହେଉ ନାହିଁକି ? କରୋନା ଚିନ୍ତାରେ ସାରା ଦେଶ ଚିନ୍ତିତ ଥିବାବେଳେ ଆମ ଘର ଆଗ ଡ୍ରେନରୁ ଏପରି ଅଳିଆ ବାହାର କରି ସପ୍ତାହ ବ୍ୟାପୀ ପକାଇବାର ମାନେ କ’ଣ? ଆମେ କ’ଣ ଟିକସ ଦେଉନୁ କି? ଆମକୁ କ’ଣ କରୋନ ଭୁତଣୁ ହେବନି ? ଏଭଳି ଦୁର୍ଗନ୍ଧ ପରିବେଶରେ ରହିଲେ । ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠେ ସ୍ୱଚ୍ଛତା ଉପରେ ଏବଂ କରୋନା ଭାଇରସ୍ ଉପରେ ଏତେ ସଚେତନତା ହେଉଛି ହେଲେ ବ୍ୟାସନଗର ପୌରପରିଷଦରେ ବଡ଼ ବଡ଼ବାବୁମାନଙ୍କୁ କ’ଣ ଜଣାପଡ଼ୁନି ସହର ଭିତରର କ’ଣ କିପରି ସ୍ୱଚ୍ଛତା ରହିଛିି । ନାଁ ଖାଲି ଜାଗୃତି ବିଲ୍ ପାସ୍ କରିବାରେ ବ୍ୟସ୍ତ ରହୁଛନ୍ତି ।