କେନ୍ଦୁଝର : ଶେଷରେ ଜେଲ୍ରୁ ମୁକୁଳିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ। ଦୀର୍ଘ ଦୁଇ ମାସ ୧୬ ଦିନ ପରେ ଆଜି ସନ୍ଧ୍ୟା ୫ଟା ୪୫ ମିନିଟ୍ ସମୟରେ କେନ୍ଦୁଝର ଜିଲ୍ଲା କାରାଗାରରୁ ମୁକୁଳିଥିଲେ । ଜେଲ୍ରୁ ବାହାରିବା ବେଳେ ଆଲୋକ ଲିଭାଇ ଦିଆଯାଇଥିଲା ଏବ˚ ସେହି ପାଖରେ ଏକକାଳୀନ ୪ଟି ଗାଡି ଲଗାଇ ରଖା ଯାଇଥିଲା । ସେ ଜେଲ୍ରୁ ବାହାରିବା କ୍ଷଣି ତାଙ୍କୁ ଗାଡି ଭିତରେ ବସାଇ ସମର୍ଥକମାନେ ନେଇ ଯାଇଥିଲେ ।
ଗତକାଲି ହାଇକୋର୍ଟ ଦେବାଶିଷ ପାତ୍ରଙ୍କୁ ଜାମିନ ପ୍ରଦାନ କରିଥିଲେ । ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି ବିଚାରପତି କହିଥିଲେ । ଏହାପରେ ଆଜି ଅପରାହ୍ନରେ ଜିଲ୍ଲା ଦୌରାଜଜ୍ ଲକ୍ଷ୍ମୀଧର ବିଶ୍ବାଳଙ୍କ କୋର୍ଟରେ ଦୁଇ ଜଣ ଜାମିନଦାର ଏବ˚ ୨୫ ହଜାର ଟଙ୍କା ପଇଠ କରା ଯାଇଥିଲା । ଅପରାହ୍ନ ୫ ଟାରେ କୋର୍ଟରୁ କେନ୍ଦୁଝର ଜିଲ୍ଲା କାରାଗାରକୁ ଯାଇଥିଲା ରିଲିଜ୍ ଅର୍ଡର । ରିଲିଜ୍ ଅର୍ଡର ପହଞ୍ଚିବା ବେଳକୁ ସେଠାରେ ଶତାଧିକ ବିଜେଡ଼ି ସମର୍ଥକ ଉପସ୍ଥିତ ଥିଲେ। ସନ୍ଧ୍ୟା ୫ଟା୪୫ ମିନିଟ୍ ବେଳକୁ ଜେଲ୍ରୁ ମୁକୁଳିଥିଲେ ଦେବାଶିଷ ପାତ୍ର । ତେବେ ଜେଲ୍ରୁ ମୁକୁଳିବା ବେଳେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ଜେଲ୍ର ମୁଖ୍ୟ ଫାଟକ ବନ୍ଦ କରି ଦିଆଯାଇଥିବା ବେଳେ କୌଣସି ଚାରି ଚକିଆ ଗାଡି ଜେଲ୍ କ୍ୟାମ୍ପସ୍ ଭିତରକୁ ଛଡା ଯାଉ ନ ଥିଲା । କିନ୍ତୁ କୌଣସି ଏକ ନିର୍ଦ୍ଦିଷ୍ଟ ଟେଲିଫୋନ୍ ପାଇବା ପରେ ଜେଲ୍ କ୍ୟାମ୍ପସକୁ ୪ଟି ଏସ୍ୟୁଭି ଛାଡି ଦିଆଯାଇଥିଲା । ଏହି ଚାରିଟି ଗାଡି ଜେଲ୍ର ଭିତର ଫାଟକ ପାଖରେ ରହିଥିଲା । ମୁକୁଳିବାର ୨ମିନିଟ୍ ପୂର୍ବରୁ ଜେଲ ଭିତର ଫାଟକ ପାଖରେ ଥିବା ଆଲୋକକୁ ଲିଭାଇ ଦିଆଯାଇଥିଲା । ଏହାପରେ ସେଠାରେ ଉପସ୍ଥିତ ପାଖାପାଖି ୫୦ ସମର୍ଥକ ତାଙ୍କୁ ଘେରାବନ୍ଦୀ କରି ଗାଡିରେ ବସାଇ ନେଇ ଯାଇଥିଲେ । ତେବେ ଦେବାଶିଷଙ୍କ ସମେତ ଆଜି ଅନ୍ୟମାନଙ୍କ ମଧୢରେ ଅକ୍ଷୟ ସାହୁ, ଆଶିଷ ବେହେରା, ଅଜୟ ସାହୁ, ନିରଞ୍ଜନ ସାହୁ ମଧ୍ୟ ଜେଲ୍ରୁ ମୁକୁଳିଥିଲେ ।