ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲା ସଂସ୍କୃତି ପରିଷଦର ଅଷ୍ଟମ ଜିଲ୍ଲା ମହୋତ୍ସବ ଆସନ୍ତା ୭,୮ ଓ ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅାଜି ଠାରୁ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁହାଯାଉଥିବା ଅନୁଗୋଳର ଟିକରପଡ଼ା, ଆଠମଲ୍ଲିକର ଦେଉଳଝରି ଓ ପାଲଲହଡ଼ାର ଖୁଲୁଡ଼ି ଶିବ ମନ୍ଦିରରୁ ଏକ ସମୟରେ ମଶାଲ ବାହାରିଥିଲା । ପୂର୍ବ ନିର୍ଦ୍ଧାରିତ ମାର୍ଗ ଦେଇ ଏହା ତାଳଚେର ହିଙ୍ଗୁଳା ପୀଠରେ ଅପରାହ୍ନରେ ପହଞ୍ଚିଲା । ସେଠାରେ ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାଏକ,ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପୂଜାର୍ଚ୍ଚନା କରିବା ପରେ ୩ଟି ମଶାଲ ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲା ।
ସନ୍ଧ୍ୟା ସାଢ଼େ ୭ଟାରେ ଏହା ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲାପାଳ ସ୍ଵାଗତ କରିଥିଲେ। ଏହି ମଶାଲ ଶୋଭାଯାତ୍ରାର ଅନୁଗୋଳ ସାତକୋଶିଅା ଦାୟିତ୍ବ ଜିଲ୍ଲାପାଳ ମନୋଜ କୁମାର ମାହାନ୍ତି ନେଇଥିବାବେଳେ ଆଠମଲ୍ଲିକର ମଶାଲ ଦାୟିତ୍ୱ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ପାଲଲହଡ଼ା ମଶାଲ ଦାୟିତ୍ବ ନେଇଥିଲେ।ଏହି ଶୋଭାଯାତ୍ରାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସାମାଜିକ କର୍ମୀ, ପଞ୍ଚାୟତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ ଓ ଅଞ୍ଚଳର ଲୋକମାନେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ଚିତା ପକାଯାଇ ମଶାଲକୁ ସ୍ଵାଗତ କରାଯାଇଥିବା ଦେଖିବାକୁ ମିଳିଥିଲା ।
ଟିକରପଡା ଭୋଳେଶ୍ବର ଶିବମନ୍ଦିରରୁ ଆସିଥିବା ମଶାଲକୁ ବିଭିନ୍ନ ମାର୍ଗରେ ସ୍ୱାଗତ ସହ ପୂଜାର୍ଚ୍ଚନ, କରାଯାଇଥିଲା ।ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥି,ଅନୁଗୋଳ ବିଡିଓ ମାୟାଧର ବେହେରା,ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।