ଟିଟିଲାଗଡ଼  :(ସଞ୍ଜୟ କୁମାର ନାୟକ)ଶିକ୍ଷା,ଶିକ୍ଷାର୍ଥୀ,ଶିକ୍ଷକ, ସଂସ୍କୃତି ତଥା ସମାଜର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ଭାରତ ସରକାରଙ୍କ ଶିକ୍ଷା ବିଭାଗ ଅଭିନବ ଶିକ୍ଷା ପଦ୍ଧତି ପ୍ରଚଳନ କରିଛନ୍ତି । “ଜାତୀୟ ଶିକ୍ଷାନୀତି ୨୦୨୦” ନାମରେ ନୂତନ ଶିକ୍ଷା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟ, ଚାରଭଟା, ଟିଟିଲାଗଡ଼ ପରିସରରେ ଗତ ତା.୧୭/୦୨/୨୦୨୪ ଶନିବାର ଦିନ ଆୟୋଜିତ ହୋଇଯାଇଛି ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ।

କେନ୍ଦ୍ରୀୟ ମାଧ୍ୟମିକ ପରିଷଦ ଅଧୀନ ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରୁ ପ୍ରାୟ ଏକ ଶହ ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପରିଷଦ ପକ୍ଷରୁ ପ୍ରଶିକ୍ଷକ ଶ୍ରୀଯୁକ୍ତ ଆଲୋକ ମହାନ୍ତି ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ୍ଵର ପ୍ରସାଦ ମିଶ୍ର ପ୍ରଶିକ୍ଷଣର ଗୁରୁତ୍ଵ ବୁଝାଇଥିଲେ ।

ନୂତନ ଶିକ୍ଷା ପଦ୍ଧତିର ବ୍ୟବସ୍ଥା, ବାଲ୍ୟ ଶିକ୍ଷାରେ ମାତୃଭାଷାର ଗୁରୁତ୍ଵ, ମାଧ୍ୟମିକ ସ୍ତରରେ ସର୍ବନିମ୍ନ ତିନୋଟି ଭାଷା ଓ ଉଚ୍ଚ ମାଧ୍ୟମିକ ସ୍ତରରେ ସର୍ବନିମ୍ନ ଦୁଇଟି ଭାଷାର ପ୍ରୟୋଗର ଉପାଦେୟତା, ସମ୍ପର୍କରେ ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା ।ବାଲ୍ୟ ଶିକ୍ଷାରେ “କ୍ରୀଡା ସହିତ ପଠନ”ର ଆବଶ୍ୟକତା ଏବଂ ବିଭିନ୍ନ ପ୍ରତ୍ୟକ୍ଷଦର୍ଶୀ କ୍ରିୟାକଳାପର ଉପାଦେୟତା ସମ୍ପର୍କରେ ପ୍ରଶିକ୍ଷକ ବିଶଦ ବ୍ୟାଖ୍ୟା କରିଥିଲେ । ପ୍ରଶିକ୍ଷାର୍ଥୀଙ୍କୁ “ଖେଳ ସହିତ ପଠନ “ ସମ୍ପର୍କରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରାଇ ତାଲିମ ଦିଆଯାଇଥିଲା । ସକାଳ ଘ୮.୩୦ ମିନିଟ୍ ରୁ ସନ୍ଧ୍ୟା ଘ.୫.୩୦ ପର୍ଯ୍ୟନ୍ତ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ପ୍ରଶିକ୍ଷାର୍ଥୀମାନେ ନିଜନିଜ ଅଭିଜ୍ଞତା ବ୍ୟାଖ୍ୟା କରିଥିଲେ ।