ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ମହକୁମା ର ଟାଉନ ହଲ ଠାରେ ଆଜି ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ଓ ଏନ୍ ସି ସି ସ୍ୱେଚ୍ଛାସେବୀ, କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ନେହେରୁ ଯୁବ କେନ୍ଦ୍ର ର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା l ଏହି ଶୋଭାଯାତ୍ରା କୁ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ଛାତ୍ରମାନେ ସହର ରାସ୍ତାରେ ସ୍ଲୋଗାନ ଦେଇ ଗାଡି ଚାଳକ ମାନଙ୍କୁ ବୁଝାଇଥିଲେ ଏବଂ ସମସ୍ତଙ୍କୁ ପ୍ରଚାର ପତ୍ର ବଣ୍ଟନ କରି ସହର ପରିକ୍ରମା କରିଥିଲେ l ଜିଲ୍ଲା ସାରା ଭ୍ରମଣ କରିଥିବା ସଚେତନତା ରଥ ସାହାଯ୍ଯ ରେ ସେଠାରେ ମଧ୍ୟ ଭିଡିଓ ପ୍ରଦର୍ଶନ କରାଯାଇଥିଲା l ତାପରେ ଟାଉନ ହଲ ମଧ୍ୟରେ ଜିଲ୍ଲା ପରିବହନ ଅଧିକାରୀ , ବସନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇ ସଡ଼କ ଦୁର୍ଘଟଣା ରେ ଆଧିକାଂଶ ଯୁବକ ମାନଙ୍କ ର ମୃତ୍ଯ ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ l

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଟ୍ରକ ମାଲିକ ସଂଘର ସଭାପତି, ଶିବ ପ୍ରସାଦ ମିଶ୍ର, ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ , ନବଜାତ କୁମାର ଯୋଗ ଦେଇ ସଡ଼କ ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର ସଡକ ସୁରକ୍ଷା ଆଇନ୍ ଉପରେ ବର୍ଣ୍ଣନା କରିଥିଲେ l ଶେଷରେ ଅଧ୍ଯାପକ ଦାସ ଦୁର୍ଘଟଣା ରେ ଆହତ ମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଏବଂ ଉଦ୍ଧାର କୌଶଳ ସବୁ ପ୍ରଦର୍ଶନ କରିଥିଲେ l ନେହେରୁ ଯୁବ କେନ୍ଦ୍ର ର ସୁଧୀର ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଆଂଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବହୁ ସହୋଯାଗ କରିଥିଲେ l