ଭବାନୀପାଟଣା :୦୬/୦୧(ନରେନ୍ଦ୍ର ନେଗୀ) ଇନ୍ଦ୍ରାବତୀ ରୁ ରବି ଜଳ ସେଚନ ଆସନ୍ତା ଜାନୁଆରୀ ଆଠ ତାରିଖ ରୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ସୂତ୍ର ରୁ ଜଣା ପଡ଼ିଛି|ଚଳିତ ବର୍ଷ ଜଳ ଭଣ୍ଡାର ର ଜଳ ସ୍ତର କୁ ନଜର ରେ ରଖି ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳ ସେଚନ ଯୋଗାଇ ଦିଆଯିବ ବୋଲି ପ୍ରସ୍ତୁତି କୁ ମଧ୍ୟ ଚୁଡାନ୍ତ କରାଯାଇଥିବା ସୂଚନା ମିଳିଛି|ଫଳ ସ୍ୱରୂପ ଇନ୍ଦ୍ରାବତୀ ବାମ, ଦକ୍ଷିଣ ଓ ମେଗା ଲିଫ୍ଟ କେନାଲ ମାନଙ୍କର ପ୍ରସ୍ତୁତି କାର୍ଯ୍ୟକୁ ଚୁଡାନ୍ତ ରୂପ ଦେବାପାଇଁ ବିଭାଗ ବ୍ୟଗ୍ର ଥିବାର ଦେଖିବାକୁ ମିଳିଛି|

କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳ ସେଚନ ଜିଲ୍ଲା ର ଅର୍ଥନୀତି ଓ କର୍ମ ଯୋଗାଣ କ୍ଷେତ୍ରରେ ଜୀବନ ରେଖା ପାଲଟି ଥିବା ବେଳେ ଚଳିତ ରବି ଜଳ ସେଚନ ବାମ ମୁଖ୍ୟ କେନାଲ ରେ ୩୪,୩୧୫, ଦକ୍ଷିଣ ମୁଖ୍ୟ କେନାଲ ରେ ୨୦୦୭୩, ଓ ମେଗା ଲିଫ୍ଟ କେନାଲ ରେ ପରିବର୍ଦ୍ଧିତ ଆୟକଟ ସହିତ ୧୬, ୪୪୫ହେକ୍ଟର ମୋଟ ୭୧, ୨୭୪ହେକ୍ଟର ଜମିରେ ଜଳ ସେଚନ ଲକ୍ଷ ରଖାଯାଇ ଥିବା ସୂଚନା ମିଳିଛି|ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ବର୍ତ୍ତମାନ ଜଳସ୍ତର ୬୩୬.୪୫ମିଟର ପହଞ୍ଚି ସାରିଥିବା ସୂଚନା ମିଳିଛି|

ଫଳରେ ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ମିଟର ଅର୍ଥାତ୍ ୧,୪୮, ୫୫୦ହେକ୍ଟର ମିଟର ରହିଥିବା ବେଳେ ବର୍ତମାନ ଜଳସ୍ତର ୬୩୬.୪୫ମିଟର ସାଙ୍ଗକୁ ୫୯ପ୍ରତିଶତ ରେ ପହଞ୍ଚି ୮୭, ୯୬୬ହେକ୍ଟର ମିଟର ପାଣି ସଂରକ୍ଷଣ କୁ ପହଞ୍ଚି ସାରିଥିବା ସୂତ୍ରରୁ ପ୍ରକାଶ|ଗତ ବର୍ଷ ଏହି ଦିନରେ ଜଳ ଭଣ୍ଡାର ର ଜଳ ସ୍ତର ୬୩୮.୨୦୫ମିଟର ସହିତ ସତୁରୀ ପ୍ରତିଶତ ପାଣି ଥାଇ ସେହି ସମ୍ବଳ ମଧ୍ୟ ରେ ମାତ୍ର ୫୮ହଜାର ଜମିରେ ଜଳ ସେଚନ ରଖାଯାଇ ଥିଲା|ଚଳିତ ବର୍ଷ ଦୁଇ ମିଟର କାମ ସଂରକ୍ଷଣ ଥାଇ ମଧ୍ୟ ରେକର୍ଡ ପରିମାଣ ରେ ୭୧, ୨୭୪ହେକ୍ଟର ଜମିରେ ଜଳ ସେଚନ ଲକ୍ଷ୍ୟ ରଖା ଯାଇଥିବାରୁ ଚାଷୀ ଙ୍କ ମଧ୍ୟରେ ଏବେଠୁ ସୁରକ୍ଷିତ ଜଳ ସେଚନ କୁ ନେଇ ଆଶଙ୍କା ବଢ଼ିବାରେ ଲାଗିଲାଣି|ଏ ସଂକ୍ରାନ୍ତରେ ସଂପୃକ୍ତ ଅଧିକାରୀ ଙ୍କୁ ପଚାରିବାରୁ ପର୍ଯ୍ୟାୟ କ୍ରମେ ଜଳ ସେଚନ ସହିତ ସ୍ୱଳ୍ପ ମିଆଦି କିସମ ର ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ନିବେଦନ କରାଯାଇ ଥିବା ପ୍ରକାଶ କରିଛନ୍ତି l