ହରଭଙ୍ଗା : (ଚିତ୍ତରଞ୍ଜନ ସିଂ):- ବୌଦ୍ଧ ଜିଲ୍ଲା ପାଇଁ ନବ ନିଯୁକ୍ତ ବିଜେଡ଼ି ପର୍ଯ୍ୟବେକ୍ଷକ ଅମରେଶ ଜେନା ସ୍ଥାନୀୟ ସର୍କିଟ ହାଉସ ଠାରେ ସାମ୍ବାଦିକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଶ୍ରୀ ଜେନା ବୌଦ୍ଧ ଜିଲ୍ଲାରେ ବିଜେଡିର ସ୍ଥିତି, ଫାଇଭ ଟି ଅଧ୍ୟକ୍ଷଙ୍କ ବୌଦ୍ଧ ଗସ୍ତର ପ୍ରଭାବ ଓ ଜିଲ୍ଲାର ବିକାଶ ସମ୍ପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ l

ସାମ୍ବାଦିକମାନେ ଅଭିଯୋଗ କରିଥିଲେ ଯେ ବିରୋଧି ବିଜେପି ଓ କଂଗ୍ରେସ ମିଡ଼ିଆକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ବିଜେଡି କୌଣସି କ୍ଷେତ୍ରରେ ମିଡ଼ିଆ ସହିତ ସମ୍ପର୍କ ରକ୍ଷା ନ କରିବା ସହିତ ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉ ନାହିଁ l ଜିଲ୍ଲାରେ ବିଜେଡ଼ି ମିଡ଼ିଆ ସେଲ କାର୍ଯ୍ୟ କରୁଛି ନା ନାହିଁ ସେ ନେଇ ସାମ୍ବାଦିକ ମାନେ ସନ୍ଦିହାନ ଥିବା ପ୍ରକାଶ କରିଥିଲେ l

ପର୍ଯ୍ୟବେକ୍ଷକ ଶ୍ରୀ ଜେନା ଘଟଣାରେ ଦୁଃଖ ପ୍ରକାଶ କରି ଖୁବ ଶୀଘ୍ର ଏହାର ସମାଧାନ କରାଯିବ ଏବଂ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ମିଡ଼ିଆକୁ ନିଶ୍ଚିତ ସୂଚନା ଦିଆଯିବ ବୋଲି କହିଥିଲେ l ଏହି ସାକ୍ଷାତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ରାଜ୍ୟ ବିଜେଡ଼ି ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅରୁଣ ପ୍ରଧାନ, ବରିଷ୍ଠ ବିଜେଡ଼ି ନେତା ପ୍ରଭାତ ପ୍ରଧାନ ଉପସ୍ଥିତ ରହିଥିଲେ