ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ପ୍ରାକୃତିକ ଶୋଭା ସମ୍ପଦରେ ବଣ ପାହାଡ ଘେରା ବୌଦ୍ଧ ଜିଲ୍ଲାରେ ଅରଣ୍ୟ ସମ୍ପଦ ଓ ପର୍ୟଟନ ବିଭବ ସାଙ୍ଗକୁ ରହିଚି ଅନେକ ରହସ୍ୟମୟ ସ୍ଥାନ lଏକଦା ବୌଦ୍ଧ ଧର୍ମ ବିସ୍ତାର ଲାଭ କରିଥିବା ପୂର୍ବତନ ଗଡ଼ଜାତ ରାଜ୍ୟ ବୌଦ୍ଧ ରେ ରହିଚି ଅନେକ ବୌଦ୍ଧ କୀର୍ତ୍ତି ରାଜି l ମହାନଦୀ କୂଳେକୂଳେ ଏବେବି ଅନେକ ଅନାବିଷ୍କୃତ ସ୍ଥାନ ରହିଛି l ଯେଉଁଠି ମଣିଷର ପାଦ ପଡିନାହିଁ l ସବୁଜିମାମୟ ପରିବେଶ ମଧ୍ୟରେ ରହିଛି ଅନେକ ଗୁମ୍ଫା ଓ ପରିତ୍ୟକ୍ତ ମନ୍ଦିର l

ସମ୍ପ୍ରତି ହରଭଙ୍ଗା ବ୍ଲକର କୁସଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟର ପଦ୍ମତୋଳା ଜଙ୍ଗଲରେ ସୁନାଖଣିଆ ଭିତରେ ମିଳିଛି ଏକ ରହସ୍ୟମୟ ଗୁମ୍ଫା ର ସନ୍ଧାନ l ଘଞ୍ଚ ଅରଣ୍ୟ ମଧ୍ୟରେ ଏହି ସୁଡ଼ଙ୍ଗ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ଵ ବହନ କରେ,10 ଫୁଟ ଗୋଲେଇ ଓ 12 ଫୁଟ ଉଚ୍ଚତା ବିଶିଷ୍ଠ ସୁଡ଼ଙ୍ଗ ଦ୍ୱାରରୁ ଏକ ଗୁମ୍ଫା ବୋଲି ପ୍ରତୀୟମାନ ହୁଏ l ସୁଡ଼ଙ୍ଗପଥ ଦେଇଆମ ପ୍ରତିନିଧି 200 ମିଟର ପର୍ୟ୍ୟନ୍ତ ସୁଡ଼ଙ୍ଗ ଭିତରେ ଗଲା ପରେ ଖାଲି କିଟିକିଟି ଅନ୍ଧାର ପରେ ଆଉ ଆଗକୁ ଯାଇପାରିଲେ ନାହିଁ l ପ୍ରବେଶ ପଥ ସୁଡ଼ଙ୍ଗ ରେ ନିରନ୍ଧ୍ର ଅନ୍ଧକାର l ସୁଡ଼ଙ୍ଗକୁ ଆଚ୍ଛାଦିତ କରିଛି ବୁଢିଆଣୀ ବସା l ରହସ୍ୟ ଉପନ୍ୟାସ ରେ ବର୍ଣିତ ନିର୍ଜନ ଭୌତିକ ପରିବେଶ ଦେଖିଲେ ସୁଡ଼ଙ୍ଗକୁ ନେଇ ମନକୁ ଆନ୍ଦୋଳିତ କରେ ଅନେକ ଅନୁଭରିତ ପ୍ରଶ୍ନ l

ପ୍ରାୟ ୧୦  ଫୁଟ ଉଚ୍ଚରେ ସୁଡ଼ଙ୍ଗ ଟି ଖୋଳା ଯାଇଛି l ସୁଡ଼ଙ୍ଗ ର ଦ୍ୱାରଦେଶରେ କୌଣସି କର୍ମକୃତି ନାହିଁ l ଦେଖିବାକୁ ମିଳେ କେବଳ ପଥରର ଭଗ୍ନାବିଶେଷ,ଶବ୍ଦ କଲେ ପୁଣି ତାହା ପ୍ରତିଧ୍ବନିତ ହୋଇ ଫେରି ଆସେ ଶବ୍ଦକର୍ତ୍ତା ପାଖକୁ l ସୁଡ଼ଙ୍ଗ ଭିତରେ କିଟିକିଟି ଅନ୍ଧାର ,ମନରେ ଭୟ ସଞ୍ଚାର କରେ l ସୁଡ଼ଙ୍ଗ ଭିତରେ ଚେମେଣି ବାଦୁଡ଼ି ଓ ଅନ୍ୟାନ୍ୟ ବନ୍ୟକୀଟ ପତଙ୍ଗ ଙ୍କ ରାଜୁତି l ପ୍ରବେଶପଥ ଠାରୁ ଆଗକୁ କିଛି ପାଦ ଆଗେଇଲେ ଘନ ଅନ୍ଧକାର ଭିତରେ କିଛି ଦୃଶ୍ୟମାନ ହୁଏନାହିଁ l ନିରନ୍ଧ୍ର ଅନ୍ଧକାର ଭିତରେ ରହିଛିଜୀବଜନ୍ତୁଙ୍କର ଭୟ,ତେଣୁ ଏହି ସୁଡ଼ଙ୍ଗ ର ଇତିବୃତ୍ତି ରହସ୍ୟମୟ ହେଇଚି l

ଏହି ସୁଡ଼ଙ୍ଗ ସମ୍ପର୍କରେ କୌଣସି ପ୍ରତ୍ନତାତ୍ତ୍ଵିକ ଅନୁସନ୍ଧାନ ହୋଇ ନଥିଲେ ମଧ୍ୟ ରାଜାରାଜୁଡ଼ା ଙ୍କ ରାଜୁତି ସମୟରେ ଏହା ଖନନ କରାଯାଇଥିବା ବିଶ୍ଵାସ କରାଯାଏ l କେତେକ ପୂରାତତ୍ତ୍ୱଭିତ୍ତିକ ଙ୍କ ମତରେ ବୌଦ୍ଧ ରାଜାଙ୍କ ଦ୍ଵାରା ଏହି ସୁଡ଼ଙ୍ଗ ଖୋଳାଯାଇଥିଲା l ସମ୍ଭବତଃ ମହାନଦୀ କୂଳେକୂଳେ ଏହା ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜପ୍ରସାଦ ପର୍ଯ୍ୟନ୍ତ ବିସ୍ତୃତ ବୋଲି ମନେ କରା ଯାଏ l ବାହ୍ୟଶତ୍ରୁ ଆକ୍ରମଣ ରୁ ରକ୍ଷା ପାଇବାପାଇଁ ଗଡ଼ଜାତ ରାଜ୍ୟ ମାନଙ୍କରେ ଦୁର୍ଗ ,ଗୁମ୍ଫା ଏବଂ ସୁଡ଼ଙ୍ଗମାନ ନିର୍ମାଣ କରାଯାଇଥିଲା l ସେ ଉଦ୍ଦେଶ୍ୟ ରେ ଏହି ସୁଡ଼ଙ୍ଗ ନିର୍ମାଣ କରାଯାଇଥିବା ମନେ କରାଯାଏ l

ସୁଡ଼ଙ୍ଗ ଲୋକଲୋଚନ ଅନ୍ତରାଳେ ଜଙ୍ଗଲ ଭିତରେ ନିର୍ମିତ ହୋଇଥିବାରୁ. ଅନ୍ୟ କୌଣସି ପଡୋଶୀ ରାଜ୍ୟ କିମ୍ବା ଅନ୍ୟ କୌଣସି ବାହ୍ୟ ଶତ୍ରୁ ପକ୍ଷରୁ ଆକ୍ରମଣ ର ଆଶଙ୍କା ଉପୁଜିଲେ ରାଜା,ପାତ୍ରମନ୍ତ୍ରୀ ଓ ରାଜ ପରିବାର ସଦସ୍ୟ ମାନେ ସୁଡ଼ଙ୍ଗ ଭିତରେ ଆତ୍ମ ଗୋପନ କରୁଥିଲେ କିମ୍ବା ଏହି ବାଟ ଦେଇ ଖଣ୍ଡପଡ଼ା କୁ ଲୁଚିକରି ପଳାୟନ କରୁଥିଲେ ବୋଲି ବିଶ୍ବାସ କରାଯାଉଛି l ତେବେ ସୁଡ଼ଙ୍ଗ ନିର୍ଦ୍ଧିଷ୍ଟ ଭାବେ କିଆ ନିର୍ମାଣ କରିଥିଲ ଓ କେଉଁ ଉଦ୍ଦେଶ୍ୟ ରେ ତାହା ନିର୍ମିତ ହୋଇଥିଲା ବୌଦ୍ଧ ରାଜ୍ୟର ଇତିହାସ ନିରୁତ୍ତର l ଅନ୍ୟ ପ୍ରତ୍ନତାତ୍ତ୍ଵିକ ଖନନ ଓ ଗବେଷଣା ଭଳି ଏହି ପୁରାତନ ଭଗ୍ନପ୍ରାୟ ସୁଡ଼ଙ୍ଗ ସମ୍ପର୍କରେ ଅନୁସନ୍ଧାନ କଲେ ବହୁ ତଥ୍ୟ ମିଳି ପାରିବ ବୋଲି ମତପ୍ରକାଶ ପାଉଛି l ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପ୍ରତ୍ନତାତ୍ତ୍ଵିକ ବିଭାଗ ଏଥିପ୍ରତି ଦୃଷ୍ଟି ଦବାକୁ ଦାବି ହେଉଛି l