ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଗୁରୁବାର ସଂଧ୍ୟାରେ ଟିଟିଲାଗଡ ଥାନାଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡର ମାଁ ଘଣ୍ଟାଶୁଣି ମନ୍ଦିରର ପୂଜକ, ନବମୀ ଯାତ୍ରା ପୂଜା କମିଟି, ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି ସଂପାଦକ , ରାବଣ ପୋଡି କମିଟିର ସଦସ୍ୟ ମାନଙ୍କୁ ନେଇ କିଭଳି ସୁରୁଖୁରୁରେ ଦୁର୍ଗା ପୂଜା ଠାରୁ ନେଇ ବିସର୍ଜନ ଯାଏଁ ଶାନ୍ତି ଶୃଂଖଳାର ସହିତ ସମ୍ପନ୍ନ ହେବ ସେ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ବୈଠକରେ ସମସ୍ତ କମିଟି ସଦସ୍ୟଙ୍କୁ ନିଜ ନିଜର ପୂଜା ମଣ୍ଡପ ଠାରେ ଶୃଙ୍ଖଳିତ ଦର୍ଶନ କରାଇବାର ବ୍ୟବସ୍ଥା ସହ କିଛି ବିଶୃଙ୍ଖଳା ହେଲେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ପାଇଁ କୁହାଯାଇଛି । ନବମୀ ଯାତ୍ରା ଦିନ ଭିଡ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ନବମୀ ଯାତ୍ରା ସମ୍ପନ୍ନ ପାଇଁ ମନ୍ଦିର କମିଟି ସହ ପୋଲିସ ସମ୍ପୂର୍ଣ୍ଣ ମାତ୍ରାରେ ଉପସ୍ଥିତ ରହିବ ।

ତା ସହିତ ପୋଲିସ ପକ୍ଷରୁ ପୋଲିସ ସମସ୍ତ ପେଣ୍ଡାଲ ଠାରେ ନିୟୋଜିତ ହେବା ସହ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି କୁହାଯାଇଛି। ଉପସ୍ଥିତ ବିଭିନ୍ନ କମିଟିର ସଦସ୍ୟ ମାନେ ନିଜ ନିଜର ମତାମତ ଦେଇଥିଲେ। ପୂଜା ସାଙ୍ଗକୁ ବିସର୍ଜନ ମଧ୍ଯ କିଭଳି ଶାନ୍ତି ଶୃଂଖଳାର ସହିତ ହେବ ସେ ନେଇ କମିଟି ମାନଙ୍କୁ କୁହାଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୋଲିସ ଏଏସଆଇ ଏଚ ଖାଲକୋ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।