ଧର୍ମଗଡ଼ : (ହେମନ୍ତ କୁମାର ମାଝୀତା ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ସଭାଗୃହ ଠାରେ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅଧ୍ୟକ୍ଷା ବବିତା ପାଟଯୋଶୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଆଜିର ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ଅଂଚଳର ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ଭାଗ ନେଇଥିଲେ। ବୈଠକରେ ଧର୍ମଗଡ ବିଡିଓ ସରତ ପାତ୍ର, ତହସିଲଦାର ସଞ୍ଜୟ ସାମନ୍ତରାୟ, ବ୍ଲକ ଉପାଧ୍ୟକ୍ଷା ଜୁଳି ମେହେର,ସାଂସଦ ପ୍ରତିନିଧି ଲଷ୍ମୀକାନ୍ତ ବାଗ, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ଼, ପ୍ରଣବ ଭାଇଁସାଲ, ପ୍ରମୁଖ ଯୋଗଦାନ କରି ଥିଲେ।
ଏହି ଅବସରରେ ଧର୍ମଗଡ଼ ବ୍ଲକର ୨୪ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଯୋଗ ଦେଇଥିଲେ। ତେବେ ସାଧାରଣ ନିର୍ବାଚନ ପରେ ଆଜି ହେଉଥିବା ପଞ୍ଚାୟତ ସମିତି ବୈଠକକୁ ନେଇ ସଦସ୍ୟ, ସଦସ୍ୟାମାନେ ବେଶ ଉତ୍ସାହିତ ଥିବାବେଳେ ବ୍ଲକ ଅଞ୍ଚଳର ମନରେଗା ଦୁର୍ନୀତି, ପାନୀୟ ଜଳ ସମସ୍ୟା,ବିଦ୍ୟୁତ ସମସ୍ୟା, ସହିତ ଅନେକ ସମସ୍ୟା ସମ୍ପର୍କରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା।
ସେହିପରି ବ୍ଲକରେ ୩୨୫ ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମଞ୍ଜୁର ହୋଇଥିବାବେଳେ ବିଧାୟକ ଓ ଜନ ପ୍ରତିନିଧି ଙ୍କ ଉପସ୍ଥିତିରେ ପ୍ରତି ପଞ୍ଚାୟତ ର ଜଣ ଲେଖାଏଁ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ପାଟଯୋଶୀ ଭତ୍ତା ବଣ୍ଟନ କରିଥିଲେ। ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମ ଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।