ନୂଆଦିଲ୍ଲୀ:୨୬/୧୦ (କିଶୋର ଦ୍ଵିବେଦୀ )ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଓଡ଼ିଆ ମାନେ ବିଭିନ୍ନ ସ୍ଥାନରେ ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ କରିଥିବା ଜଣାଯାଇଛି। ଦିଲ୍ଲୀର ଉପକଣ୍ଠବର୍ତ୍ତୀ ଗୁରୁଗ୍ରାମର ଚାରିନମ୍ୱର ସେକଟର ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ମା ଦୁର୍ଗତି ନାଶିନୀ ଙ୍କର ଚତୁର୍ଦ୍ଦଶତମ ପୂଜାର୍ଚ୍ଚନା ମହା ସମାରୋହ ରେ ପାଳିତ ହୋଇଯାଇଛି। ଏଠାରେ ପନ୍ଦର ଫୁଟ ଉଚ୍ଚତା ବିଶିଷ୍ଟ ମା ସିଂହ ବାହିନୀଙ୍କର ମୃଣ୍ମୟୀ ମୂର୍ତ୍ତି ଏକ ସୁସଜ୍ଜିତ ମେଢ଼ରେ ଶୋଭା ପାଉଥିବାର ଦୃଶ୍ୟ ଅନନ୍ୟ ଓ ଅନୁପମ ଥିଲା। ପୂଜାରୀ ରୁଦ୍ର ନାରାୟଣ ପଣ୍ଡା ଏବଂ କୃଷ୍ଣଚନ୍ଦ୍ର ପଣ୍ଡାଙ୍କର ତତ୍ତ୍ୱାବଧାନରେ ପୁଜାପାଠ, ହୋମଯଜ୍ଞ ଏବଂ ଭୋଗରାଗ ଆଦି ମାଙ୍ଗଳିକ କାର୍ଯ୍ୟ ଯଥାବିଧି ଅନୁଷ୍ଟିତ ହୋଇଥିଲା ।

ପବିତ୍ର ଷଷ୍ଠୀ ତିଥି ଠାରୁ ବେଲବରଣ ଓ ଘଟସ୍ଥାପନ ଆଦି ନୀତିକାନ୍ତି ଆରମ୍ଭ କରାଯାଇ ବିଜୟା ଦଶମୀରେ ମା’ଙ୍କର ମୂର୍ତ୍ତି ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ପୂଜା କମିଟି ର ସକ୍ରୀୟ ତଦାରଖ ରେ ସଫଳତାର ସହିତ ସମ୍ପନ୍ନ କରାଯାଇଛି।ଦୀର୍ଘ ଚଉଦ ବର୍ଷ ଧରି କଳିଙ୍ଗ କଲଚରାଲ ଏଣ୍ଡ ୱଲଫେୟାର ଆସୋସିଏସନ(କେ.ସି.ଡ଼ଦ୍ଲୁ.ଏ) ଦ୍ୱାରା ଆୟୋଜନ କରାଯାଉଥିବା ଏହି ଶାରଦୀୟ ମହୋତ୍ସବ ରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ସେମାନଙ୍କର ପରିବାର ବର୍ଗଙ୍କ ସହିତ ଯୋଗ ଦେଇ ମା’ ମହିଷାସୁର ମର୍ଦ୍ଦିନୀଙ୍କର ଦିବ୍ୟ ଦର୍ଶନ ପାଇ ଭବ୍ୟ ଆଶିଷ ଲାଭ କରି ନିଜକୁ କୃତ୍ୟ କୃତ୍ୟ ମନେ କରୁଥିବା ପରିଲକ୍ଷିତ କରାଯାଇଥିଲା।

ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରସିଦ୍ଧ ଗାୟିକା ଦୀପ୍ତି ପାଢ଼ୀ ଙ୍କର ହୃଦୟ ସ୍ପର୍ଶୀ ସଙ୍ଗୀତ ପରିବେଷଣ ମୂଖ୍ୟ ଆକର୍ଷଣ ଥିଲା।ସନ୍ଧ୍ୟାରେ ସମ୍ମାନୀତ ଅତିଥି ଭାବରେ ବିଶିଷ୍ଟ ଚିତ୍ରତାରକା ତଥା ସାଂସଦ ପ୍ରଶାନ୍ତ ନନ୍ଦ ଏବଂ ଦିଲ୍ଲୀ ହାଉଜଖାସ ଜଗନ୍ନାଥ ମନ୍ଦିର ପରିଚାଳନା କରୁଥିବା ଶ୍ରୀ ନୀଳାଚଳ ସେବା ସଂଘ ର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ଉପସ୍ଥିତ ଥିଲେ। ଉଭୟ ଶ୍ରୀ ନନ୍ଦ ଓ ଶ୍ରୀ ପ୍ରଧାନ ଗୁରୁଗ୍ରାମ ଠାରେ ଓଡ଼ିଶାର ଉନ୍ନତ କଳା, ଉତ୍କୃଷ୍ଟ ସଂସ୍କତି ଏବଂ ଉତ୍ତୁଙ୍ଗ ଐତିହ୍ୟର ପ୍ରଚାର ଓ ପ୍ରସାର କରିବା ନେଇ ଆୟୋଜକ ମାନଙ୍କ ର ଉଲେଖ୍ୟନୀୟ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଓ ସେମାନଙ୍କୁ ସାଧୁବାଦ ଜଣାଇଥିଲେ।

ଉତ୍ସବକୁ ସୁଚାରୁରୂପେ ଆୟୋଜନ ଏବଂ ସଫଳତାର ସହିତ ସମାପନ କରିବାରେ ପୂଜା କମିଟି ର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ଉପସଭାପତି ଶେଷଦେବ ସାହୁ,ସମ୍ପାଦକ ରଞ୍ଜନ ସାହୁ, ମିଡ଼ିଆ ପ୍ରଭାରୀ ପ୍ରଦ୍ୟୁମ୍ନ ରଥ, କୋଷାଧ୍ୟକ୍ଷ ବିନାୟକ ନାୟକ, ସଂଗଠନ ସଚୀବ କୃଷ୍ଣ ସ୍ୱାଇଁ, ବରିଷ୍ଠ ସଦସ୍ୟ ମାନସ ସାହୁ, ସତ୍ୟ ବ୍ରତ ନାୟକ, ଅଶୋକ ସାହୁ ଓ ମଳୟ ରଞ୍ଜନ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କମିଟିର ଉପଦେଷ୍ଟା ଆଇନଜୀବୀ ମୋନାଲିଶା ମହାପାତ୍ର ଏବଂ ହରେକୃଷ୍ଣ ମହାନ୍ତି ମହୋତ୍ସବ ର ପ୍ରମୁଖ୍ୟ ଦିଗଦର୍ଶକ ଥିଲେ। ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଶୋକ ପ୍ରଧାନ ଓ ରମେଶ ସାହୁ ସାମିଲ ଥିଲେ।