କେସିଙ୍ଗା : ( ପ୍ରୀତେଶ ପଟେଲ)ଅଦମ୍ୟ ଇଚ୍ଛା ଶକ୍ତି , ନିରବଚ୍ଛିନ୍ନ ଅଧ୍ୟବସାୟ ଓ ସମୟୋଚିତ ଅଭିପ୍ରେରଣା ହିଁ ସଫଳତାର ମୂଳଚାବି କାଠି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ,କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ, ଓଷ୍ଟା, କେସିଙ୍ଗା ଆନୁକୂଲ୍ୟରେ କେସିଙ୍ଗା ବିଦ୍ୟାଳୟ ପରିସରରେ ଆୟୋଜିତ ଦ୍ବିତୀୟ ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୫ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ମତବ୍ୟକ୍ତ କରିଛନ୍ତି।

ଏହି ସମାବେଶରେ କେସିଙ୍ଗା ବ୍ଳକର ୩୦ ହାଇସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟର ପ୍ରଥମ ସ୍ଥାନ ହାସଲକାରୀ ବିଦ୍ୟାର୍ଥୀ ମାନଙ୍କର ପିତାମାତା,ଅଭିଭାବକ ଅଭିଭାବିକାମାନେଉପସ୍ଥିତ ଥିଲେ। ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଶ୍ରୀମତୀ ପ୍ରଶାନ୍ତି ପଧାନ, ତହସିଲଦାର୍ , କେସିଙ୍ଗା ଯୋଗଦାନ କରି ମାନବିକ ଜୀବନରେ ଆସୁଥିବା ସମସ୍ୟା ଗୁଡିକୁ କିପରି ଦୃଢ ସଂକଳ୍ପ ଓ ସଂସ୍କାର ଦ୍ଵାରା ପ୍ରତିହତ କରାଯାଇପାରିବ ଏବଂ ବୟୋଜ୍ୟେଷ୍ଠ ମାନଙ୍କର ମାର୍ଗ ଦର୍ଶନ ଦ୍ୱାରା ସାମାଜିକ ବିକାଶ ସମ୍ଭବପର ବୋଲି ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଏବଂ ପିତାମାତାମାନଙ୍କୁ ନିଜ ଅଭିଭାଷଣରେ ପରିପ୍ରକାଶ କରିଥିଲେ ।

ବିଦ୍ୟାଳୟରୁ ଶିକ୍ଷା ସମାପ୍ତି କରି ଶ୍ରେଷ୍ଠତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ମାଧ୍ୟମିକ ତଥା ଜୀବନର ପ୍ରତିଟି କ୍ଷେତ୍ରରେ ଅଧିକ ଉତ୍ସର୍ଗୀକୁତ ମନୋଭାବ ନେଇ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ଶ୍ରୀ ରାଜେଶ କୁମାର ଅଗ୍ରୱାଲ,ରିଡର୍, ଅର୍ଥ ନୀତି ବିଭାଗ, କେସିଙ୍ଗା ମହା ବିଦ୍ୟାଳୟ ଯୋଗଦାନ କରିବା ସହ ଯୁବ ପୀଢି କିପରି ଅଷ୍ଟ୍ରିଚ୍ ସିନଡ୍ରୋମରୁ ନିଜକୁ ମୁକ୍ତ ରଖିପାରିବେ ଏବଂ ଆତ୍ମ ବିଶ୍ଲେଷଣ ଓ ଆତ୍ମ ପରଖ ପ୍ରକିୟାର ଅବରତ ପ୍ରୟୋଗ ଦ୍ବାରା ଏକବିଂଶ ଶତାବ୍ଦୀର ସମସ୍ତ ଆହ୍ବାନ ଗୁଡିକୁ ମୁକାବିଲା ସହ କିପରି ଏକ ସଫଳ ମାନବିକ ଜୀବନ ଧାରାର ସୂତ୍ରଧର ହୋଇ ପାରିବ ସେ ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା ଆତ୍ମ ଚିନ୍ତନ ପୂର୍ବକଯୋଗ ସାଧନାରେ ନୀତିନିଷ୍ଠ ସାଧକସାଧିକା ମାନଙ୍କ ଭଳି କଠିନ ପରିଶ୍ରମ ବଳରେ ହିଁ ଆମେ ଆମ ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇ ପାରିବା ବୋଲି ନିଜ ଅଭିମତ ଦେଇ ପ୍ରକାଶ କରିଥିଲେ ।

ଉକ୍ତ ଅଭିନନ୍ଦନ ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶ୍ରୀ ସାରଙ୍ଗଧର ଠାକୁର, ଉପ ସଭାପତି ରାଜ୍ୟ ଓଷ୍ଟା, ଶ୍ରୀ ମୃତ୍ୟୁଞ୍ଜୟ ବେହେରା, ସମ୍ପାଦକ ରାଜ୍ୟ ଓଷ୍ଟା, ଶ୍ରୀ ସନ୍ତୋଷ କୁମାର ରଥ,ସଭାପତି,ଓଷ୍ଟା,କଳାହାଣ୍ଡି, ଶ୍ରୀ ପ୍ରଭାତ କୁମାର ରଥ ,ସମ୍ପାଦକ,ଓଷ୍ଟା, କଳାହାଣ୍ଡି, ଶ୍ରୀ ଭବାନୀଶଙ୍କର ମିଶ୍ର, ଉପଦେଷ୍ଟା, ଓଷ୍ଟା, କଳାହାଣ୍ଡି, ଶ୍ରୀ ଦୁଷ୍ମନ୍ତ ଶେଖର ପାଢ଼ୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, କଳାହାଣ୍ଡି ଯୋଗଦାନ କରି ନିଜର ସ୍ବକୀୟ ଅଭିପ୍ରେରଣା ସୂଚକ ବକ୍ତବ୍ୟ ପ୍ରଦାନ କରିଥିଲେ। କେସିଙ୍ଗା ବ୍ଲକର ଦଶମ ଶ୍ରେଣୀ ପରିକ୍ଷାରେ ଏ୧ ସ୍ଥାନ ଅଧିକାର କରିଥିବା ଜନତା ହାଇସ୍କୁଲର ଛାତ୍ର ଦୁଷ୍ମନ୍ତ କୁମାର ରଣାଙ୍କୁ ଆର୍ଦଶ ମେଧାବୀ ସମ୍ମାନ ପ୍ରଦାନ ସହ ୩୦ଗୋଟି ହାଇସ୍କୁଲର ବିଦ୍ୟାଳୟ ଟପ୍ପରମାନଙ୍କୁ, ସେମାନଙ୍କ ପିତାମାତାମାନଙ୍କୁ ଏବଂ ବିଦ୍ୟାଳୟ ମୁଖ୍ୟମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ।

ଶ୍ରୀ ଅଭୟ କୁମାର ଦେବତାଙ୍କ ସଭାପତିତ୍ବରେ ଏହି ସମାବେଶରେ ଶ୍ରୀ ସମୀର କୁମାର ବେହେରା, ସମ୍ପାଦକ, ଓଷ୍ଟା, କେସିଙ୍ଗା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଶିକ୍ଷକ ଶ୍ରୀ ଜି.କ୍ରିଷ୍ଣା ରେଡି ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଷ୍ଟା , କେସିଙ୍ଗାର ସମସ୍ତ ସଭ୍ୟ ସଭ୍ୟା ସକ୍ରିୟ ସହଯୋଗ କରିଥିଲେ । ଓଷ୍ଟା,କେସିଙ୍ଗା ଶାଖାର ଏଭଳି କାର୍ଯ୍ୟକୁ ନିମନ୍ତ୍ରିତ ଅତିଥିଗଣ ଏବଂ ଉପସ୍ଥିତ ଅଭିଭାବକମାନେ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ସମ୍ବର୍ଦ୍ଧିତ ହୋଇଥବା ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ଏଭଳି ସମ୍ମାନ ସେମାନଙ୍କ ଜୀବନରେ ଏକ ଅବିସ୍ମରଣୀୟ ମାଇଲ୍ ଖୁଣ୍ଟ ହୋଇ ରହିବ ବୋଲି ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ।