
ଯାଜପୁର : (ସଞ୍ଜୟ ମହାନ୍ତି )ଜିଲ୍ଲାରେ ହିଂସା, ଆକ୍ରମଣ ଏବେ ସାଧାରଣ କଥା ହୋଇଗଲାଣି। କେତେବେଳେ ଲୋକ ପ୍ରତିନିଧିଙ୍କୁ ଆକ୍ରମଣ ତ କେତେବେଳେ ନିରୀହ ଶ୍ରମିକ, କର୍ମଚାରୀଙ୍କୁ ହତ୍ୟା କରାଯାଉଛି। ବିଧାୟକ, ପୂର୍ବତନ ବିଧାୟକ ବି ଆକ୍ରମଣରୁ ବାଦ ପଡ଼ୁନାହାନ୍ତି। ୫ ଦିନ ତଳେ ଜଣେ କ୍ରସର କର୍ମଚାରୀ (ଯୁବ ଇଞ୍ଜିନିୟର)ଙ୍କୁ କ୍ରସର ମାଲିକ ଓ ତାଙ୍କ ସହଯୋଗୀ ଅତି ଅମାନବୀୟ ଭାବେ ଦେହରେ ଗରମ ତେଲ ଢାଳି ଏବଂ ଲୁହା ରଡ୍ରେ ପିଟି ହତ୍ୟା କରିଥିଲେ। ମୃତକଙ୍କ ପରିବାର ଲୋକ ଶୋକରେ ବୁଡ଼ିଥିବାବେଳେ ଦୁର୍ବୃତ୍ତମାନେ ମୃତ ଯୁବକଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ଆଜି ସନ୍ଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବଡ଼ଚଣା ଡାକ୍ତରଖାନା ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାରେ ଆଇନ ଶୃଙ୍ଖଳା ଏକପ୍ରକାର ହୁଗୁଳି ଯାଇଛି। ପାଣିକୋଇଲି ଅଳଙ୍କାର ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ହତ୍ୟା କରି ଖସି ପଳାଇଥିବା ଡକାୟତଙ୍କୁ ପୁଲିସ ଏଯାଏଁ ଧରି ପାରିନାହିଁ। ପୁଣି କ୍ରସର କର୍ମଚାରୀଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ପୁଲିସର ନିଷ୍କ୍ରିୟତା ଯୋଗୁ ରକ୍ତମୁଖା ମାଫିଆ ଗୋଟିଏ ପରେ ଗୋଟିଏ ଅପରାଧ ଭିଆଇବାକୁ ସାହସ କରୁଛନ୍ତି। ଧର୍ମଶାଳାରେ ବେଆଇନ କଳାପଥର କାରବାର ମାଫିଆଙ୍କ ମୁହଁ ବଢ଼ାଉଛି।
ମୃତ କ୍ରସର କର୍ମଚାରୀଙ୍କ ପରିବାରକୁ ଭେଟିଲେ ସୁଲତା ଓ ପ୍ରଣବ
ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତ ଜାମୁବଣିଆ ଅଞ୍ଚଳରେ ରହୁଥିବା ମୃତ କ୍ରସର କର୍ମଚାରୀ ଅରଜିତ୍ ଜେନାଙ୍କ ପରିବାରବର୍ଗଙ୍କୁ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଭେଟିଛନ୍ତି ତାଙ୍କ ବାପା, ମା’ ଓ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଦୋଷୀମାନଙ୍କୁ କିପରି ଆଇନ ଅନୁଯାୟୀ କଠୋର ଦଣ୍ଡ ଦିଆଯିବ ଜିଲ୍ଲା ପ୍ରଶାସନକୁ ଜଣାଇବେ ବୋଲି କହିଥିଲେ। ଆବଶ୍ୟକ ପଡ଼ିଲେ ପୁଲିସ୍ ଡିଜି ଓ ଆଇଜିଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିନଥିବାରୁ ସୁଲତା ଦ୍ବେଗ ପ୍ରକାଶ କରିଥିଲେ। ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଯାଜପୁର ଜିଲ୍ଲାରେ ହିଂସା ଆକ୍ରମଣ ଏବେ ସାଧାରଣ କଥା ବୋଲି ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଉଦବେଗ ପ୍ରକାଶ କରିଥିଲେ। ଦେଓ ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ , ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ବ୍ଳକ୍ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ, ଜିଲ୍ଲା ଛାତ୍ର ବିଜେଡି ସଭାପତି ସୌମ୍ୟପ୍ରକାଶ ବିଶ୍ଵାଳ, ମନୋଜ ଦାସ ଓ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।