ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )୨ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ IGP ଜୟନାରାୟଣ ପଙ୍କଜ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି l ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ l ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l

ଦୁଇ ହାର୍ଡକୋର ମାଓବାଦୀ ହେଲେ ୨୧ ବର୍ଷୀୟା ମନୀଷା ଥାଟି ଓ ୨୨ ବର୍ଷୀୟା ଚମ୍ପା କୋରାମ l ଦୁହେଁ ଛତିଶଗଡର ହୋଇଥିବା ବେଳେ କେକେବିଏନ୍ ଡିଭିଜନ ରେ ଯୋଗ ଦେଇଥିଲେ l ସେମାନେ ୨୦୧୮  ଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ l ଉଭୟ ଛତିଶଗଡ ଏବଂ ଓଡିଶା ରାଜ୍ୟରେ ଅନେକ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ।

ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ନିର୍ଯ୍ୟାତନା , ମିଥ୍ୟା ପ୍ରତିଶ୍ରୁତି , ସାନମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ। ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ଏବେ ବି ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବାକୁ ସାଉଥ ରେଞ୍ଜ IGP ଓ SP ପରାମର୍ଶ ଦେଇଛନ୍ତି l