ସିନେ ତାରକା ଡ଼ଃ ସାଧୁ ମେହେର ଥିଲେ ଜଣେ ସର୍ବଗ୍ରାହୀ “ଭାବର ମଣିଷ” 

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ ସାଧୁ ମେହେରଙ୍କ ପରଲୋକରେ ସୁବର୍ଣ୍ଣପୁର ମହାରାଜା ହାଇସ୍କୁଲର ଶତ ବାର୍ଷିକୀ ସମ୍ମିଳନୀ କକ୍ଷରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମଶ୍ରୀ ସାଧୁ ମେହେରଙ୍କ ଜୀବନାଦର୍ଶ, ଅଭିନୟ କଳା ସହ ମା’ମାଟି, ଭାଷା ଓ ନିଜସ୍ୱ ସଂସ୍କୃତି ପ୍ରତି ଥିବା ଅହେତୁକ ସମର୍ପଣ ଭାବକୁ ସ୍ମରଣ କରି ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରଦ୍ଧା ସୁମନ ଦେଇଛନ୍ତି l

ଦିବଙ୍ଗତ ସାଧୁ ମେହେର ଓ ସୁବର୍ଣ୍ଣପୁରକୁ ନେଇ ସ୍ମୃତି ବିଜଡିତ ଅନେକ କଥା-କବିତାକୁ ଅନେକେ ମନେ ପକାଇ ସାଧୁ ମେହେରଙ୍କ ପରଲୋକ ଏ ମାଟି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି l ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଯୋଗଦେଇ ସ୍ବର୍ଗତ ସାଧୁ ମେହେରଙ୍କୁ ଭାରତୀୟ ସିନେ ଜଗତର ଜଣେ ଧୁରିଣ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅଭିହିତ କରି ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ସିନେମା ଆଜିର ପୀଢ଼ି ଦେଖିବା ଉଚିତ ବୋଲି କହିଥିଲେ l

ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ,ବରିଷ୍ଠ କବି ଆର୍ତ୍ତତ୍ରାଣ ବାବୁ,ଡ଼ଃ ସୌରଭ ରଞ୍ଜନ ଖମାରୀ,ଡ଼ଃ ପୁରୁଷୋତ୍ତମ ମିଶ୍ର,ଅଭିମନ୍ୟୁ କୁଶଳ,ଡ଼ଃ ଜ୍ୟୋତିରଞ୍ଜନ ବହିଦାର,ମିନା ମହାରଣା,ଲଡୁକିଶୋର ମଲ୍ଲିକ,ପ୍ରଦ୍ୟୁମ୍ନ ସାହୁ,ମନୋଜ ବାରିକ, ବାସୁଦେବ ତ୍ରପାଠି ତ୍ରିପାଠୀ ଓ ବେଣୁଧର ପ୍ରଧାନ ପ୍ରମୁଖ ସ୍ମୃତିଚାରଣ କରି ଶଦ୍ଧାଞ୍ଜଳି ଦେଇଥିଲେ l ମନୋଜ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବେଣୁଧର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ l