କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଉପଲକ୍ଷେ ଚିତ୍ରକଳା ପ୍ରଦର୍ଶନୀ
ଭବାନୀପାଟଣା : (ନରେନ୍ଦ୍ର ନେଗୀ)୨୬ତମ କଳାହାଣ୍ଡି ଉତ୍ସବ ଅବସରରେ ଲାଲ ବାହାଦୁଇ ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀତ ହୋଇଛି । ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ପ୍ରଦର୍ଶନୀସ୍ଥଳରେ ଲୋକେ ଭିଡ ଜମାଉଥିବାବେଳେ ଜିଲ୍ଲାର ମାଟି, ପାଣି, ପବନ ଓ ପ୍ରକୃତିରାଣୀର ଅପୂର୍ବ ଭରାସମ୍ଭାରକୁ ନେଇ ନିର୍ଜୀବ କାନଭାସରେ ରଙ୍ଗତୂଳୀ ନେଇ ୨୫ ଜଣ ଚିତ୍ରଶିଳ୍ପୀ ତିଆରିଛନ୍ତି ଭଳିକି ଭଳି ସଜୀବ ଚିତ୍ରକଳା । ସନ୍ଧ୍ୟା ସମୟରେ ଏହି ପ୍ରଦର୍ଶନୀସ୍ଥଳରେ ଦର୍ଶକଙ୍କ ଭିଡ ଲାଗିରହୁଛି ।

ଉତ୍ସବର ପ୍ରଥମ ଦୁଇଦିନ ପଚିଶ ଜଣ ନୂତନ ଓ ଅଭିଜ୍ଞ ଚିତ୍ରଶିଳ୍ପୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିବାବେଳେ ଉତ୍ସବର ପରବର୍ତ୍ତୀ ଦୁଇଦିନ ଦର୍ଶକମାନଙ୍କ ପାଇଁ ଏହା ପ୍ରଦର୍ଶନ ପାଇଁ ଉନ୍ମୁକ୍ତ ରହିବ । ଏହି ଚିତ୍ରକଳା ପ୍ରଦର୍ଶନୀକୁ ପ୍ରଦର୍ଶନୀ ଉପକମିଟିର ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ, ସହ ଅଧ୍ୟକ୍ଷ ମନୋଜ କୁମାର ରାଉତ, ଆବାହକ ତରୁଣ କୁମାର ମହାପାତ୍ର, ସଦସ୍ୟ ବିଜନ ରେଡ୍ଡୀ, ସଂଗ୍ରାମ କେଶରୀ ସରାଫ, ସ୍ମିତା ଚୌଧୁରୀ ପ୍ରମୁଖ ପରିଚାଳନା କରୁଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକରୁ ଏହି କର୍ମଶାଳା ଓ ପ୍ରଦର୍ଶନୀରେ ଭାଗ ନେଇଥିବା ଚିତ୍ରଶିଳ୍ପୀମାନେ ଅନେକ ଉତ୍କୃଷ୍ଟ ଚିତ୍ର ତିଆରି କରିଛନ୍ତି ।