
ଭୁବନେଶ୍ବର: ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଲୋୟର ପିଏମଜିରେ ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ । ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡିର ପ୍ରତିବାଦ ବେଳେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି । ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୋଲିସ ।
ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ମୁହାଁମୁହିଁ ପରିସ୍ଥିତି । ବିଜେଡି କର୍ମୀ ଓ ପୋଲିସ ଧସ୍ତାଧାସ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପାଣିମାଡ଼ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କଲା ପୋଲିସ । ଏଥିସହ ରବର ବୁଲେଟ ମଧ୍ୟ ମାଡ କରିଛି । ଯେଉଁଥିରେ ଆହତ ହୋଇଛନ୍ତି ଏକାଧିକ ବିଜେଡି କର୍ମୀ । ପାଣିମାଡ, ଲୁହବୁହା ଗ୍ୟାସ ଏବଂ ରବର ବୁଲେଟ ମାଡ଼ରେ ବବି ଦାସଙ୍କ ସମେତ ଅନେକ ଟାଣୁଆ ନେତା ଆହତ ।
ବବି ଦାସଙ୍କ ଗୋଡରେ ଲାଗିଛି ଆଘାତ । ତାଙ୍କୁ ଆହତ ଅବସ୍ଥାରେ ଆପୋଲୋ ନିଆଯାଇଥିବା ବେଳେ ସେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।ସେପଟେ ଡାନି ଘଡାଇ ମଧ୍ୟ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୁଲତା ଦେଓ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଛାତିରେ ଆଘାତ ଲାଗିଥିବା ସେ କହିଛନ୍ତି ।